ବନ୍ୟାରେ ମାନବିକତାର ମୃତ୍ୟୁ: ପାଣିଘେରରେ ଲୋକେ, ବ୍ଲକ କାର୍ଯ୍ୟାଳୟର ଉଚ୍ଚ ସ୍ଥାନରେ ସୁରକ୍ଷିତ ରଖାଗଲା କର୍ମଚାରୀଙ୍କ ଗାଡ଼ି

ପୁରୁଷୋତ୍ତମପୁର, ୩୦।୧୦ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରର ଜନଜୀବନକୁ ଛାରଖାର କରିଦେଇଛି। ଚାରିଆଡ଼େ ବନ୍ୟାଜଳ। ଲୋକେ ଜୀବନ ବଞ୍ଚାଇବାକୁ ରାହା ଖୋଜୁଥିବାବେଳେ ବ୍ଲକ ପ୍ରଶାସନର କାର୍ଯ୍ୟଶୈଳୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଅଭିଯୋଗ ଅନୁଯାୟୀ, ବନ୍ୟାଜଳରେ ଫସିଥିବା ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ପରିବର୍ତ୍ତେ ବ୍ଲକ ପ୍ରଶାସନର କର୍ମଚାରୀମାନେ ନିଜର ବ୍ୟକ୍ତିଗତ ଗାଡ଼ିଗୁଡ଼ିକୁ ବର୍ଷା ଓ ବନ୍ୟାଜଳରୁ ସୁରକ୍ଷା ଦେବା ପାଇଁ ବ୍ଲକ କାର୍ଯ୍ୟାଳୟର ଉଚ୍ଚ ସ୍ଥାନରେ ରଖିଥିଲେ। ଲୋକଙ୍କ ଜୀବନ ଅପେକ୍ଷା ନିଜ ଗାଡ଼ିର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଗଲା କି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

ଏହି ଘଟଣାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବୁଦ୍ଧିଜୀବୀ ମହଲରେ ମଧ୍ୟ ଏହାକୁ ସମାଲୋଚନା କରାଯାଇଛି। ବିପର୍ଯ୍ୟୟ ସମୟରେ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପ୍ରଶାସନର ପ୍ରଥମ କର୍ତ୍ତବ୍ୟ ହୋଇଥିବାବେଳେ ଏଭଳି ଆଚରଣ ପ୍ରଶାସନିକ ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Dharitri – Odisha’s No.1 Odia Daily

Share