ମୋରଡା/ରାସଗୋବିନ୍ଦପୁର,୧୪।୪(ସ୍ମାରକ ମାଜୀ/ସତ୍ୟବାଦୀ ପରିଡା): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଧୀନ କାକବନ୍ଧ ଅନୁସୂଚିତ ଜାତି ଓ଼ ଜନଜାତି ଆଶ୍ରମ ବିଦ୍ୟାଳୟର ୧୪୬ଜଣ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ରବିବାର ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ତେବେ ଅବସ୍ଥା ସଂକଟାପନ୍ନ ହେବାରୁ କିଛି ଛାତ୍ରୀଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସପ୍ତମ ଶ୍ରେଣୀର ରୁପାଲି ବେସ୍ରା। ଛାତ୍ରୀ ମୃତ ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇଛି। ମୃତ ଛାତ୍ରୀଙ୍କ ଘର ନଳଗଜା ନୁଣଚାଟି ଗ୍ରାମ ହୋଇଥିବାବେଳେ ନଳଗଜା ନିକଟରେ ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା ରୋକୋ କରାଯାଉଥିବାର ଦେଖିବାକୁ ମିଳିଛି।