ଶୂନ୍ୟ ହେଲା ମା’ କୋଳ: ଏକାସାଙ୍ଗରେ ଚାଲିଗଲେ ଭାଇ ଉଭଣୀ

ଗଞ୍ଜାମ,୨୬।୪(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ହୁମା ଫାଣ୍ଡି ଅଧୀନ ଗଡ଼ହୁମା ଗ୍ରାମରେ ମଙ୍ଗଳବାର ଏକ ଦୁଖଃଦ ଘଟଣା ଘଟିଛି। ଗାଁର ଗୋବିନ୍ଦ ମହାରଣାଙ୍କ ନାତି ଏବଂ ନାତୁଣୀଙ୍କ ଗୋଟିଏ ଦିନରେ ଅକାଳ ବିୟୋଗ ଘଟିଛି। ମୃତ ଭାଇ ଭଉଣୀ ହେଲେ ରୁଦ୍ର(୨ ବର୍ଷ) ଓ ପ୍ରିୟାଂସି( ୫ବର୍ଷ )। ଫୁଡ୍‌ପଏଜନ ହୋଇ ଉଭଣୀ ଭାଇଙ୍କ ମୃତ୍ୟୁ ଘଟିଥିବା ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର ଆୟୁଷ ଡାକ୍ତର ବନୋଜ କାନ୍ତ କର ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ପୁଅ ଝିଅଙ୍କୁ ହରାଇ ମା’ ସୁନିତା ମହାରଣା ଅଚେତ ଅବସ୍ଥାରେ ଗଞ୍ଜାମ ମେଡିକାଲ ଭର୍ତ୍ତି ହୋଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ରେଫର କରାଯାଇଛି।

ମିଳିଥିବା ସୂଚନା ମୁତାବକ, ସୋମବାର ରାତିରେ ଭଉଣୀ ଭାଇ କ୍ଷୀର ପିଇ ଶୋଇ ଥିଲେ। ସକାଳ ୫ଟାରେ ଉଠିବା ପରେ ସେମାନଙ୍କର ବାନ୍ତି ହୋଇଥିଲା l ତୁରନ୍ତ ତାଙ୍କୁ ମେଡିକାଲ ଅଣାଯାଉଥିଲା। ହେଲେ ବାଟରେ ପୁଅ ରୁଦ୍ର ଆଖି ବୁଜି ଦେଇଥିଲେ। ଏହାର କିଛି ସମୟ ପରେ ପ୍ରିୟାଂସିଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଗୋବିନ୍ଦ ପ୍ରକାଶ କରିଛନ୍ତି। ଭାଇ ଭଉଣୀଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ମୃତ ଶିଶୁଙ୍କ ବାପା ରମାକାନ୍ତ ମହାରଣା ଆର୍ମିରେ ଅଛନ୍ତି।