ଜେଲରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ମାଲକାନଗିରି,୧୧।୬(ଡି.ଏନ.ଏ.): ମାଲକାନଗିରି ଉପକାରାଗାରରେ ପୂର୍ବରୁ ଅନେକ ଅଘଟଣ ଘଟିଥିବା ବେଳେ ଶନିବାର ପୁଣି ଜଣେ ବିଚାରାଧୀନ ବନ୍ଦୀ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ କାଲିମେଳା ଥାନା ଅନ୍ତର୍ଗତ ଏମ୍‌ପିଭି ୩୩ ଗ୍ରାମର ବିଧାନ ମିର୍ଦ୍ଧା। ବିଧାନ ଦୀର୍ଘ ୪ ବର୍ଷ ହେବ ଏକ ହତ୍ୟା ମାମଲାରେ ଦ୍ବିତୀୟ ସ୍ତ୍ରୀଙ୍କ ସହିତ ବିଚାରାଧୀନ ବନ୍ଦୀ ଭାବେ ଉପକାରାଗାରରେ ଥିଲେ। ତେବେ ପରିବାର ଲୋକଙ୍କ କହିବା କଥା, ଶନିବାର ସକାଳୁ ଜେଲ ପକ୍ଷରୁ ଫୋନ୍‌କରି ବିଧାନଙ୍କ ଦେହ ଅସୁସ୍ଥ ଥିବା ଖବର ଦିଆଯାଇଥିଲା। ଶୀଘ୍ର ମାଲକାନଗିରି ହସ୍ପିଟାଲରେ ପହଞ୍ଚିବାକୁ ବାରମ୍ବାର ଫୋନକରି କୁହାଯାଇଥିଲା। ଜେଲ କର୍ତ୍ତୃପକ୍ଷଙ୍କ ଖବର ପାଇ ପରିବାର ଲୋକେ ହସ୍ପିଟାଲ ଆସି ଦେଖିଲା ବେଳକୁ ବିଧାନଙ୍କର ମୃତ୍ୟୁ ହୋଇସାରିଥିଲା। ଏହାକୁ ନେଇ ପରିବାରବର୍ଗ ଜେଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ବିଧାନ ଜେଲ ଭିତରେ ଜୀବନ ହାରି ଦେଇଥିବା କହିଥିଲେ। ଏହାକୁ ପରିବାରବର୍ଗ ଗ୍ରହଣ କରିପାରି ନ ଥିଲେ। ଜେଲ ଭିତରେ କେମିତି ଜଣେ କଏଦୀ ଜୀବନ ହାରିଲେ ବୋଲି ପ୍ରଶ୍ନ କରିଛନ୍ତି। ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରାଯାଇଥିବା ପରିବାରବର୍ଗ ଅଭିଯୋଗକରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସଞ୍ଜୟ ବର୍ମାଙ୍କୁ ପଚାରିବାରୁ ବିଧାନ ବିଚାରାଧୀବ ବନ୍ଦୀ ଭାବେ ଥିଲେ। ଶୁକ୍ରବାର ଭୋର ୪ଟାରେ ସେ ଉଠି ଗାଧୁଆଘର ଭିତରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଏହା ଜେଲ ଭିତରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା କହିଛନ୍ତି। ଅପରପକ୍ଷେ ଜେଲ ଡିଆଇଜି ଗରିବ ସାହୁ ମାଲକାନଗିରି ଉପକାରାଗାର ଆସି ଏହି ଘଟଣାରେ ତଦନ୍ତ କରିଥିବା ଜଣାପଡ଼ିଛି।