ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ: ୧୦ ଦିନରେ ଗଲାଣି ୩ ଜୀବନ

ମାଲକାନଗିରି,୨୭ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଉପକାରାଗାର ବିଚାରାଧୀନ ବନ୍ଦୀଙ୍କ ପାଇଁ ସତେ ଯେପରି ମରଣଯନ୍ତା ପାଲଟିଛି। ୧୦ ଦିନ ମଧ୍ୟରେ ୩ ଜଣଙ୍କ ଜୀବନ ଯାଇସାରିଲାଣି। ତେବେ ଉପକାରାଗାରରେ କାର୍ଯ୍ୟରତ କର୍ମଚାରୀଙ୍କ କର୍ତ୍ତବ୍ୟ ପରାୟଣତାକୁ ଏହା ପଦାରେ ପକାଇଛି। ଶନିବାର ରାତିରେ ମାଓବାଦୀ ଅଭିଯୋଗରେ କିଛିଦିନ ପୂର୍ବେ ଗିରଫ ହୋଇ ବିଚାରାଧୀନ କଏଦୀ ଭାବେ ମାଲକାନଗିରି ଉପକାରାଗାରରେ ରହିଥିବା ଧନ ଗଲରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ତେବେ ଧନଙ୍କ ନିଜ ଗ୍ରାମ ସ୍ବାଭିମାନ ଅଞ୍ଚଳ ଜଡ଼ାମ୍ବ ଥାନା ଅନ୍ତର୍ଗତ ଖଜୁରିଗୁଡ଼ା ଗ୍ରାମରେ। ଏକ ଧାରୁଆ ଅସ୍ତ୍ରରେ ତାଙ୍କର ବେକ କଟା ଯାଇଥିବା ବେଳେ ସେ ଆତ୍ମହତ୍ୟା କରିଥିବା ଜେଲ କର୍ତ୍ତୃପକ୍ଷ କହୁଛନ୍ତି। ବାସ୍ତବରେ ତାଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହେଉଛି। ତେବେ ଜେଲ୍‌ ମଧ୍ୟକୁ କିଭଳି ଏହି ଧାରୁଆ ଅସ୍ତ୍ର ପହଞ୍ଚିଲା ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ। ଏ ସମ୍ପର୍କରେ ଜେଲ୍‌ ସୁପରିଟେଣ୍ଡେଣ୍ଟ କୌଣସି ତଥ୍ୟ ଦେଉନାହାନ୍ତି। ଅନ୍ୟପକ୍ଷରେ ଗତ ୧୦ ଦିନ ମଧ୍ୟରେ ତିନୋଟି ସନ୍ଦେହଜନକ ମୃତ୍ୟୁ ଘଟିସାରିଲାଣି।

ମାଲକାନଗିରି ଆଇଆଇସି ରାମପ୍ରସାଦ ନାଗଙ୍କୁ ଯୋଗାଯୋଗ କରିବାରୁ ଏହି ଘଟଣାରେ କେସ୍‌ ନଂ ୪୮/୨୦ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ଯଦି କୌଣସି ଦୋଷ ପ୍ରମାଣିତ ହୁଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରିବାରବର୍ଗ ଆସିଲା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ହସ୍ତାନ୍ତର କରାଯିବ ବୋଲି କହିଥିଲେ।