ଜୁଆଙ୍ଗ ସମ୍ପ୍ରଦାୟର ୧୧ଜଣଙ୍କ ମୃତ୍ୟୁ ଏବେ ସତର୍କ ଘଣ୍ଟି

କେନ୍ଦୁଝର,୨୨।୧୦(ଦୀପକ ମିଶ୍ର): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଗୋନାସିକା ପଞ୍ଚାୟତ ଅନ୍ତର୍ଗତ ଜନ୍ତାରୀ ଗ୍ରାମରେ ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ୧୧ଜଣଙ୍କ ମୃତ୍ୟୁ ବର୍ତ୍ତମାନ ବିକାଶ ପ୍ରକ୍ରିୟାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସରକାରଙ୍କ ଘରେ ଘରେ ସ୍ବଚ୍ଛ ପିଇବା ପାଣି ପହଞ୍ଚାଇବା। ଏନେଇ ଡିଏମ୍‌ଏଫ୍‌, ଓମ୍ବାଡିସି ପକ୍ଷରୁ ମେଗା ପିଇବା ପାଣି ପ୍ରକଳ୍ପ ହେଲେ ସୁଦ୍ଧା ୧୧ ଜୁଆଙ୍ଗଙ୍କ ଜୀବନ ବଞ୍ଚି ପାରିଲା ନାହିଁ।

ଗ୍ରାମବାସୀଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ଏକ ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ହୋଇଥିଲା। ହେଲେ ବର୍ଷ ବର୍ଷ ଧରି ଓଭରହେଡ୍‌ ପାଣି ଟାଙ୍କି ସଫା ହେଉ ନାହିଁ। ଫଳରେ ଟାଙ୍କିରେ ପୋକ ସୃଷ୍ଟି ହେଉଛି। ଏଭଳିସ୍ଥିତିରେ ଲୋକ ଏହାକୁ ବ୍ୟବହାର ନ କରି ପାହାଡ଼ ତଳ ଚୁଆରୁ ପାଣି ବ୍ୟବହାର କରି ରୋଗାକ୍ରାନ୍ତ ହେବା ଚିନ୍ତାର ବିଷୟ ହୋଇଛି।

କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏଭଳି ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିବା କେବଳ ଠିକାଦାରମାନଙ୍କ ପକେଟ ଗରମ କରିବା ପାଇଁ ଉଦ୍ଦିଷ୍ଟ ବୋଲି ପରିଲକ୍ଷିତ ହେଉଛି। ମୃତ୍ୟୁମୁଖରେ ପଡିଥିବା ୧୧ଜଣଙ୍କ ମଧ୍ୟରୁ ମାସକ ମଧ୍ୟରେ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସୁନିଆ ଜୁଆଙ୍ଗ, ରଶ୍ମି ଜୁଆଙ୍ଗ, ନୁନି ଜୁଆଙ୍ଗ। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ହେବା ଜରୁରୀ ଏବଂ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ କେନ୍ଦୁଝର ଜିଲା କଂଗ୍ରେସର ପୂର୍ବତନ ସଭାପତି ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ବିପ୍ଳବ ମିଶ୍ର ଏକ ପ୍ରେସ ବିଜ୍ଞପ୍ତିରେ ଦାବି କରିଛନ୍ତି।