କିଛିଦିନ ପୂର୍ବରୁ ବାପାଙ୍କର ହୋଇଥିଲା ମୃତ୍ୟୁ, ଏବେ ପୁଅର ଅକାଳ ବିୟୋଗରେ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବାର

କୋରାପୁଟ, ୧୩।୬ (ଅମିତାଭ ବେହେରା): କୋରାପୁଟ-ସୁନାବେଡା ୨୬ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ରାତିରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ବାଇକଟି ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ସୁନାବେଡାରୁ କୋରାପୁଟ ଅଭିମୁଖେ ଆସୁଥିବା ଏକ ବାଇକ ଦୁରୁଗୁଡ଼ା ଗ୍ରାମ ନିକଟରେ ରାସ୍ତା ଉପରେ ରହିଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଏଥିରେ ବାଇକ ଚାଳକ ସୁବ୍ରତ ସାବତ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଖବରପାଇ କୋରାପୁଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ମୃତ ସୁବ୍ରତଙ୍କ ଘର କୋରାପୁଟ ସହରର ଜାନିଗୁଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ତାଙ୍କ ପିତାଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ପୁଅଙ୍କ ଅକାଳ ବିୟୋଗ ପରିବାରକୁ ଶୋକାକୁଳ କରିଦେଇଛି। ଘଟଣାଟି ସହର ଓ ଆଖପାଖ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି।

 

Odisha’s No.1 Odia Daily

 

Share