Categories: ଜାତୀୟ

ହରିଦ୍ୱାରରେ ବିସର୍ଜନ ହେବ ସିଡିଏସ୍ ବିପିନ ରାୱତ, ପତ୍ନୀ ମଧୁଲିକାଙ୍କ ଅସ୍ଥି

ନୂଆଦିଲ୍ଲୀ,୧୧ ।୧୨: ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ଅସ୍ଥି ଶନିବାର ହରିଦ୍ୱାର ଗଙ୍ଗାରେ ବିସର୍ଜନ କରାଯିବ । ସକାଳ ୧୦ଟାରେ ଏହି ଅସ୍ଥି ବିସର୍ଜନ କରାଯିବ ବୋଲି ଜଣାପଡିଛି । ଜିଲାଧିକାରୀ ବିନୟ ଶଙ୍କର ପାଣ୍ଡେୟ କହିଛନ୍ତି ସ୍ୱର୍ଗତ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ଅସ୍ଥି ହରିଦ୍ୱାରରେ ପହଞ୍ଚିବା କଥା ମୌଖିକ ଭାବେ ସୂଚନା ମିଳିଛି । ହେଲେ ଏପର୍ଯ୍ୟନ୍ତ ଲିଖିତ ଭାବେ ପ୍ରଶାସନକୁ କୌଣସି ସୂଚନା ଦିଆଯାଇ ନାହିଁ । କିନ୍ତୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଡିଏମ୍ କହିଛନ୍ତି ରାୱତ ଦମ୍ପତିଙ୍କ ଅସ୍ଥିକୁ ତାଙ୍କ ଦୁଇ ଝିଅ କୃତିକା ଓ ତାରିଣୀ ତଥା ପରିବାରର ଅନ୍ୟ ସଦସ୍ୟ ନେଇ ଆସିବେ । ତାଙ୍କ ସହ ୬-୭ ଗାଡି ଆସିବ । ଭିଆଇପି ଘାଟରେ ଅସ୍ଥି ବିସର୍ଜନ କରାଯିବ । ଏହି ସମୟରେ ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂ ଧାମି ଓ ପ୍ରତିରକ୍ଷା ରାଜ୍ୟ ମନ୍ତ୍ରୀ ଅଜୟ ଭଟ୍ଟ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ହେଲେ ଏହାର କୌଣସି ଲିଖିତ କାର୍ଯ୍ୟକ୍ରମ ଜାରି କରାଯାଇନାହିଁ ।

Share