ଘାତକ ମିଶାଇଲ ‘ହାମର’

ନୂଆଦିଲ୍ଲୀ: ଲାଇନ୍‌ ଅଫ୍‌ କଣ୍ଟ୍ରୋଲ୍‌ (ଏଲ୍‌ଓସି)ରେ ପାକିସ୍ତାନ ଏବଂ ଆକ୍ଚ୍ୟୁଆଲ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଏସି)ରେ ଚାଇନା ସହ ମୁହଁାମୁହିଁ ପରିସ୍ଥିତି ଭାରତ ପାଇଁ ସତର୍କ ଘଣ୍ଟି ବଜାଇଛି। ଏକା ସମୟରେ ଦୁଇ ଶତ୍ରୁ ଦେଶ କବଳରୁ ସୀମାକୁ ସୁରକ୍ଷା ଦେବାକୁ ରଣନୀତି ପ୍ରସ୍ତୁତ କରୁଛି ପ୍ରତିରକ୍ଷା ବିଭାଗ। ଏସବୁ ଭିତରେ ଚର୍ଚ୍ଚାରେ ରହିଛି ଫାଇଟର ଜେଟ୍‌ ‘ରାଫାଲ’। ଜୁଲାଇ ଶେଷଯାଏ ଫ୍ରାନ୍ସରୁ ୫ ରାଫାଲ ଭାରତରେ ପହଞ୍ଚତ୍ବ ବୋଲି ସ୍ପଷ୍ଟ ହୋଇଛି। ଅତ୍ୟାଧୁନିକ ଟେକ୍‌ନିକ୍‌ରେ ଭରପୂର ଏହି ଯୁଦ୍ଧ ବିମାନର ମାରକ କ୍ଷମତା ବଢ଼ାଇବାକୁ ଏଥିରେ ଖଞ୍ଜାଯିବ ‘ହାମର’ ମିଶାଇଲ। ପରମାଣୁ ଅସ୍ତ୍ର ବହନ କ୍ଷମତା ଥିବା ରାଫାଲରେ ହାମାର ଲଗାଯିବା ପରେ ଏହାର ବିଧ୍ୱସଂକ କ୍ଷମତା ବହୁଗୁଣରେ ବଢ଼ିଯିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି।
‘ହାମର’ର ଅର୍ଥ ହାଇଲୀ ଏଜାଇଲ ମୋଡ୍ୟୁଲର ମ୍ୟୁନିଶନ ଏକ୍ସଟେଣ୍ଡେଡ୍‌ ରେଞ୍ଜ। ଏହା ଆକାଶରୁ ଭୂମିକୁ ରକେଟ୍‌ ଜରିଆରେ ଲକ୍ଷ୍ୟଭେଦ କରିପାରୁଥିବା ଏକ ସ୍ବତନ୍ତ୍ର ଧରଣର ମିଶାଇଲ୍‌ କିଟ୍‌। ଏହି ମଧ୍ୟମ ଦୂରଗାମୀ ମିଶାଇଲ କିଟ୍‌କୁ ଦୀର୍ଘଦିନ ପୂର୍ବରୁ ଫ୍ରାନ୍ସ ନିଜ ପ୍ରତିରକ୍ଷା ବାହିନୀରେ ସାମିଲ କରିସାରିଛି। ଏଥିରେ ଆଇଏନ୍‌ଏସ୍‌ / ଜିପିଏସ୍‌, ଆଇଏନ୍‌ଏସି/ ଜିପିଏସ୍‌ / ଆଇଆଇଆର୍‌ ଗାଇଡେନ୍ସ କିଟ୍‌ ଖଞ୍ଜାଯାଇପାରିବ। ଏଥିସହ ଅତ୍ୟାଧୁନିକ ଆଇଏନ୍‌ଏସ୍‌ / ଜିପିଏସ୍‌ / ଲେଜର ଗାଇଡେନ୍ସ ସିଷ୍ଟମ ମଧ୍ୟ ଲଗାଯାଇପାରିବ।
‘ହାମର’ର ଲକ୍ଷ୍ୟଭେଦ କ୍ଷମତା ୨୦ରୁ ୭୦ କିମି। ଲଦାଖ ଭଳି ଦୁର୍ଗମ ଯୁଦ୍ଧକ୍ଷେତ୍ରରେ ଲଢ଼େଇ ବେଳେ ଶତ୍ରୁପକ୍ଷର ବଙ୍କର ନଷ୍ଟ କରିବା ପାଇଁ ଏହାକୁ ବ୍ୟବହାର କରାଯିବ। ‘ହାମର’ ହେଉଛି ଇସ୍ରାଏଲୀ ସ୍ପାଇସ୍‌ ଗାଇଡେଡ୍‌ ବୋମା ଭଳି। ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ବେଳେ ଆତଙ୍କବାଦୀ ଶିବିର ଧ୍ୱଂସ କରିବାକୁ ଭାରତୀୟ ବାୟୁସେନା ଇସ୍ରାଏଲୀ ସ୍ପାଇସ୍‌ ଗାଇଡେଡ୍‌ ବୋମା ବ୍ୟବହାର କରିଥିଲା। ରାଫାଲ୍‌ ଯୁଦ୍ଧବିମାନ ୨୫୦ କେ.ଜି. ବିଶିଷ୍ଟ ୬ଟି ହାମର ମିଶାଇଲକୁ ଥରକରେ ବହନ କରିପାରିବା ସହ ଏକାସଙ୍ଗରେ ୬ ସ୍ଥାନକୁ ଟାର୍ଗେଟ କରିପାରିବାକୁ ସକ୍ଷମ। ୨୦୦୭ରୁ ହାମର ମିଶାଇଲ ବ୍ୟବହାର ଉପଯୋଗୀ ହୋଇଛି। ଫ୍ରାନ୍ସ ବ୍ୟତୀତ, କାତାର, ମିଶର, ମରକ୍କୋ ମଧ୍ୟ ଏହି ମିଶାଇଲ ବ୍ୟବହାର କରୁଛନ୍ତି। ତେବେ ଅନ୍ତର୍ଜାତୀୟସ୍ତରରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି, ‘ହାମର’ ଆମେରିକୀୟ ମିଶାଇଲ୍‌ ତୁଳନାରେ ବେଶି ମହଙ୍ଗା। ତେଣୁ ଖୁମ୍‌ କମ୍‌ ପରିମାଣରେ ଏହାର ଉତ୍ପାଦନ ହେଉଛି। ତେବେ ଭାରତ ସହ ଚୁକ୍ତି ସ୍ବାକ୍ଷରିତ ପରେ ଏହାକୁ ନିର୍ମାଣ କରୁଥିବା କମ୍ପାନୀ ଖର୍ଚ୍ଚ କମାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି।

Share