ୟୁରୋପରେ ସାଂଘାତିକ ‘ହିଟ୍‌-ଡୋମ୍‌’

ଲଣ୍ଡନ, ୨୫ା୬ (ଏପି): ସମଗ୍ର ପଶ୍ଚିମ ୟୁରୋପରେ ସୃଷ୍ଟି ହୋଇଥିବା ‘ହିଟ୍‌-ଡୋମ୍‌’ (ଉତ୍ତପ୍ତ ବାୟୁ ବଳୟ) ଯୋଗୁ ବ୍ରିଟେନ, ଫ୍ରାନ୍ସ, ଇଟାଲୀ ଏବଂ ସ୍ପେନ୍‌ ଭଳି ପ୍ରମୁଖ ଦେଶଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ସାଂଘାତିକ ରୂପ ଧାରଣ କରିଛି। ବୁଧବାର ବ୍ରିଟେନର ପାଣିପାଗ ବିଭାଗ ପକ୍ଷରୁ କେନ୍ଦ୍ରୀୟ ଓ ଦକ୍ଷିଣ ଇଂଲଣ୍ଡ ଏବଂ ୱେଲ୍ସ ପାଇଁ ସର୍ବୋଚ୍ଚ ସ୍ତରର ‘ରେଡ୍‌ ହେଲ୍‌ଥ ଆଲର୍ଟ’ ଜାରି କରାଯାଇଛି। ବ୍ରିଟେନ ଇତିହାସରେ ଏଭଳି ଚେତାବନୀ ଦ୍ୱିତୀୟ ଥର ପାଇଁ ଦିଆଯାଇଛି, ଯାହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ପ୍ରଶାସନ ଚେତାବନୀ ଦେଇଛି। ଜୁନ୍‌ରେ ବ୍ରିଟେନର ତାପମାତ୍ରା ସର୍ବକାଳୀନ ରେକର୍ଡ ଭାଙ୍ଗି ୩୮ ଡିଗ୍ରୀ ସେଲସିୟସ୍‌ ଛୁଇଁବା ନେଇ ଆକଳନ କରାଯାଇଛି।
ଅତ୍ୟଧିକ ଗରମ ଯୋଗୁ ବ୍ରିଟେନରେ ଅନେକ ବିଦ୍ୟାଳୟକୁ ବନ୍ଦ କରିଦିଆଯାଇଛି। ପ୍ରବଳ ଉତ୍ତାପ ଯୋଗୁ ରେଳଧାରଣା ବଙ୍କାହେବା ଏବଂ ଓଭରହେଡ୍‌ ବିଦ୍ୟୁତ୍‌ ତାର ଓହଳିଯିବା ଆଶଙ୍କା ଥିବାରୁ କର୍ତ୍ତୃପକ୍ଷ ଟ୍ରେନ୍‌ର ଗତି ସୀମିତ କରିବା ସହ ଅନେକ ସେବାକୁ ବାତିଲ କରିଛନ୍ତି। ଯାତ୍ରୀମାନଙ୍କୁ ଜରୁରୀ କାର୍ଯ୍ୟ ନ ଥିଲେ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ଲଣ୍ଡନ ଏବଂ ପ୍ୟାରିସ ମଧ୍ୟରେ ଚାଲୁଥିବା ପ୍ରସିଦ୍ଧ ‘ୟୁରୋଷ୍ଟାର’ ଟ୍ରେନ୍‌ ମଧ୍ୟ ବାତିଲ କରାଯାଇଛି। ସ୍ଥିତି ଏପରି ହୋଇଛି ଯେ, ବ୍ରିଟେନ ସଂସଦର ପରମ୍ପରାକୁ କୋହଳ କରାଯାଇ ବୁଧବାର ଖବରଦାତାମାନଙ୍କୁ କୋଟ୍‌ ବା ଜାକେଟ୍‌ ନ ପିନ୍ଧି ଗୃହ କାର୍ଯ୍ୟସୂଚୀ ସମୀକ୍ଷା କରିବାକୁ ଅନୁମତି ଦିଆଯାଇଛି। ମଙ୍ଗଳବାର ଫ୍ରାନ୍ସ ତା’ର ଇତିହାସର ସବୁଠାରୁ ଗରମ ଦିନ ରେକର୍ଡ କରିଛି। ଏଥିପାଇଁ ବିଶ୍ୱପ୍ରସିଦ୍ଧ ଏଫିଲ୍‌ ଟାୱାର ଏବଂ ଲୁଭ୍‌ର ମ୍ୟୁଜିୟମର ପରିଦର୍ଶନ ସମୟ ସୀମିତ କରିବାକୁ ପଡ଼ିଛି। ଇଟାଲୀର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରୋମ୍‌, ମିଲାନ୍‌, ଫ୍ଲୋରେନ୍ସ ଏବଂ ତୁରିନ୍‌ ସମେତ ୧୬ଟି ପ୍ରମୁଖ ସହର ପାଇଁ ‘ରେଡ୍‌ ଆଲର୍ଟ’ ଜାରି କରାଯାଇଛି। ଫ୍ଲୋରେନ୍ସରେ ତାପମାତ୍ରା ୪୧ ଡିଗ୍ରୀ ଏବଂ ମିଲାନ୍‌ରେ ୩୮ ଡିଗ୍ରୀ ସେଲସିୟସ ଛୁଇଁଛି।
ସାଧାରଣତଃ ଗ୍ରୀଷ୍ମ ପ୍ରବାହ ବୃଦ୍ଧ ଓ ରୋଗୀଙ୍କୁ ପ୍ରଭାବିତ କରିଥାଏ, ମାତ୍ର ଚଳିତ ବର୍ଷର ଏହି ‘ବୋଲିନୋ ରୋସୋ’ (ତୀବ୍ର ଗ୍ରୀଷ୍ମ ପ୍ରକୋପ) ସୁସ୍ଥ ସବଳ ବ୍ୟକ୍ତିଙ୍କ ପାଇଁ ମଧ୍ୟ ବିପଜ୍ଜନକ ସାଜିଛି। ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଗୁରୁବାର ପର୍ଯ୍ୟନ୍ତ ଏହି ଗ୍ରୀଷ୍ମ ପ୍ରବାହ ଜାରି ରହିବ ଏବଂ ରାତିର ତାପମାତ୍ରା ମଧ୍ୟ ସାଧାରଣ ଅପେକ୍ଷା ବହୁତ ଅଧିକ ରହିବ, ଯାହା ସହରବାସୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଦେଇଛି।

Odisha’s No.1 Odia Daily

Share