ଘାତକ ସାଜିଲା ସେନା

ୟାଙ୍ଗୁନ/ନେପିତାଉ,୨୨ା୨: ମ୍ୟାନ୍‌ମାରରେ କ୍ଷମତା ପରିବର୍ତ୍ତନ ପରେ ସାମରିକ ସରକାରଙ୍କ ଦମନମୂଳକ ଆଭିମୁଖ୍ୟ ସତ୍ତ୍ୱେ ଆନ୍ଦୋଳନ ଜାରି ରହିଛି। ବିକ୍ଷୋଭ ପ୍ରଦର୍ଶନକାରୀମାନେ ପଛଘୁଞ୍ଚା ଦେଇନାହାନ୍ତି କି ଧୈର୍ଯ୍ୟ ହରାଇନାହାନ୍ତି। ଦେଶର ଦ୍ୱିତୀୟ ବଡ଼ ସହର ମାଣ୍ଡଲେରେ ସୁରକ୍ଷା ବଳ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ରବିବାର ଅନେକ ସହରରେ ବିକ୍ଷୋଭକାରୀ ଏକାଠି ହୋଇଛନ୍ତି। ଏହି ସମୟରେ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ଜଣେ ଯୁବକଙ୍କ ଅନ୍ତିମ ସଂସ୍କାର କରାଯାଇଛି। ସେନାର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଅନ୍ତର୍ଜାତୀୟ ସମୁଦାୟ ନିନ୍ଦା କରିବା ସହ ସଂଯମ ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାଙ୍ଗ୍‌ ସ୍ୟୁ ଚୀ’ଙ୍କ ସରକାରକୁ ସେନା ହଟାଇଦେଇ ଶାସନ କ୍ଷମତା ନିଜ ହାତକୁ ନେଇଥିଲା। ସେବେଠାରୁ ମ୍ୟାନ୍‌ମାରରେ ରାଜନୈତିକ ସଙ୍କଟ ଲାଗିରହିଛି। ହଜାର ହଜାର ଲୋକ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କୁ ଘଉଡ଼ାଇବା ପାଇଁ ସୈନ୍ୟମାନେ ରବର ବୁଲେଟ୍‌, ଓ୍ବାଟର କ୍ୟାନନ୍‌ ଓ ଲୁହବୁହା ବାଷ୍ପ ପ୍ରୟୋଗ କରିଆସୁଥିବା ସେନା ଏବେ ଗୁଳି ଚଳାଇବା ଆରମ୍ଭ କରିଛି। ଏହି ଆନ୍ଦୋଳନରେ ଝାସ ଦେଇ ପ୍ରାଣ ହରାଇଥିବା ପ୍ରଥମ ଯୁବତୀ ହେଲେ ମ୍ୟା ଥ୍ବେଟ୍‌ ଥ୍ବେଟ୍‌ ଖିନେ। ୨୦ତମ ଜନ୍ମଦିନ ପାଳନ କରିବାର ଦୁଇଦିନ ପୂର୍ବରୁ ଅର୍ଥାତ୍‌ ଫେବୃୟାରୀ ୯ରେ ରାଜଧାନୀ ନେପିତାଉରେ ବିକ୍ଷୋଭ ପ୍ରଦର୍ଶନ ବେଳେ ସେନାର ଗୁଳି ତାଙ୍କ ଦେହରେ ବାଜିଥିଲା। ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି। ଖିନେଙ୍କ ମୃତଦେହକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିବା ହସ୍ପିଟାଲ ବାହାରେ ପ୍ରାୟ ୧,୦୦୦ ଲୋକ ଗାଡ଼ି ଓ ବାଇକ୍‌ରେ ଆସି ଏକତ୍ରିତ ହୋଇଥିଲେ। ୟାଙ୍ଗୁନରୁ ଆସିଥିବା ତାଙ୍କ ଆଈ ଓ ଅଜାଙ୍କୁ ମଧ୍ୟ ହସ୍ପିଟାଲକୁ ଛଡ଼ାଯାଇ ନ ଥିଲା। ତାଙ୍କ ମୃତଦେହ ହସ୍ତାନ୍ତର କରାଯିବା ସମୟରେ ହସ୍ପିଟାଲରୁ ଶ୍ମଶାନ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାନବାହନଗୁଡ଼ିକର ଲମ୍ବା ଲାଇନ ଲାଗିଥିଲା। ୟାଙ୍ଗୁନରେ ମଧ୍ୟ ହଜାର ହଜାର ବିକ୍ଷୋଭକାରୀ ରାସ୍ତାକଡ଼ରେ ଛିଡ଼ାହୋଇ ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ।

ସେନାର ପେଜ୍‌ ହଟାଇଲା ଫେସ୍‌ବୁକ୍‌

ମ୍ୟାନ୍‌ମାର ସେନା ପକ୍ଷରୁ ଖୋଲାଯାଇଥିବା ପେଜ୍‌କୁ ଫେସ୍‌ବୁକ୍‌ ଡିଲିଟ୍‌ କରିଦେଇଛି। ଆମର ବିଶ୍ୱସ୍ତରୀୟ ନୀତି ଅନୁସାରେ ‘ତଟମାଡାଉ ଟ୍ରୁ ନ୍ୟୁଜ୍‌ ଇନ୍‌ଫର୍ମେଶନ ଟିମ୍‌ ପେଜ୍‌’କୁ ଆମେ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଇଦେଇଛୁ ବୋଲି ରବିବାର ଫେସ୍‌ବୁକ୍‌ ଏକ ବିବୃତି ଜାରି କରି କହିଛି। ସେନା ହିଂସା ଉସୁକାଉଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଏଥିରେ ଦର୍ଶାଯାଇଛି।

Share