୪ଦିନ ହେଲାଣି ଆମ୍ବୁଲାନ୍ସରେ ମୃତଦେହ

ବାହାନଗା,୨୨ା୭(ଡି.ଏନ.ଏ.): ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବାଲେଶ୍ୱର ଜିଲା ବାହାନଗା ବ୍ଲକ କୁରୁଡା ଗ୍ରାମର ସଞ୍ଜୟ କୁମାର ଦାସ ନାମକ ଯୁବକଙ୍କ ମୃତ୍ୟୁ ହୋଇଛି। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ସୋର ଥାନାରେ ଅଭିଯୋଗ କରିଛନ୍ତି। ପୁନର୍ବାର ମୃତଦେହ ବ୍ୟବଚ୍ଛେଦ ଓ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗ୍ରାମବାସୀ ଅଡି ବସିଛନ୍ତି। ଅପରପକ୍ଷରେ ତାମିଲନାଡୁରୁ ୪ଦିନ ହେଲା ମୃତଦେହ ଆସିଥିଲେ ମଧ୍ୟ ପରିବାର ଲୋକ ଗ୍ରହଣ କରୁ ନ ଥିବାରୁ ତାହା ଆମ୍ବୁଲାନ୍ସରେ ପଡିରହିଛି। ମୃତଦେହ ଧରି ଆସିଥିବା ୩ ଯୁବକଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି।
ମୃତ ଯୁବକଙ୍କ ମା’ ସୋର ଥାନାରେ ଅଭିଯୋଗ କରିବା ପରେ ଏକ ହତ୍ୟା ମାମଲା(ନଂ.୨୭୨/୨୧) ରୁଜୁ କରାଯାଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସଞ୍ଜୟ କିଛି ଦିନ ତଳେ ସିମୁଳିଆ ଥାନା ଅଞ୍ଚଳର ଶ୍ରୀଧର ସେଠୀ ନାମକ ଜଣେ ଠିକାଦାରଙ୍କ ସହ ଜୁନ୍‌ ୨୦ତାରିଖରେ ତାମିଲନାଡୁକୁ ଏକ ଘରୋଇ କମ୍ପାନୀରେ କାମ କରିବାକୁ ଯାଇଥିଲେ। ସେଠାରେ କାମ କରିବା ବେଳେ ସଞ୍ଜୟ ସବୁବେଳେ ପରିବାର ଲୋକଙ୍କ ସହ ଫୋନରେ କଥା ହେଉଥିଲେ। ଜୁଲାଇ ୧୪ ତାରିଖଠାରୁ ସଞ୍ଜୟଙ୍କ ମୋବାଇଲ ଫୋନ ସୁଇଚ୍‌ ଅଫ୍‌ ଥିବାରୁ ପରିବାର ଲୋକେ ଆଉ କଥା ହୋଇପାରି ନ ଥିଲେ। ବାଧ୍ୟ ହୋଇ ପରିବାର ଲୋକେ ଠିକାଦାର ଶ୍ରୀଧର ସେଠୀଙ୍କୁ ପଚାରିବାରୁ ସଞ୍ଜୟଙ୍କ ମୃତ୍ୟୁ ହୋଇଥିବା ସେ କହିଥିଲେ। ତାମିଲନାଡୁ ପୋଲିସ୍‌ ସହିତ ଯୋଗାଯୋଗ କରାଯିବାରୁ ମୃତଦେହର ଫଟୋ ଓ କମ୍ପାନୀ ସିସିଟିଭି ଫୁଟେଜ ଆସିବା ପରେ ଜଣାପଡିଥିଲା। ତାଙ୍କୁ ହତ୍ୟା କରିଥିବା ନେଇ ପରିବାର ଲୋକେ ଠିକାଦାରଙ୍କ ନାମରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନ ନେବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୋର ପୋଲିସ୍‌ ଠିକାଦାର ଶ୍ରୀଧର ସେଠୀଙ୍କୁ ଥାନାରେ ଅଟକ ରଖିଥିବା ବେଳେ ମୃତ ଯୁବକଙ୍କ ମା ଓ ଦୁଇ ବଡ ଭାଇଙ୍କୁ ଥାନାରେ ପଚରାଉଚୁରା କରୁଛି। ଗ୍ରାମରେ ୧ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।