ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ ଜଙ୍ଗଲରେ ଦୁଇଦିନ ହେବ ଦନ୍ତାହାତୀର ମୃତଦେହ ପଡିରହିଛି । ତେବେ ଖବର ଲେଖାଯିବା ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନାହିଁ ।
ସୂଚନାଅନୁସାରେ ଦୁଇଟି ଦନ୍ତା ହାତୀ ମଧ୍ୟରେ ଲଢ଼େଇରେ ଦନ୍ତାର ମୃତ୍ୟୁ ଘଟିଥିବା ପ୍ରତ୍ୟକ୍ଷଦର୍ଶୀ ମାନେ ପ୍ରକାଶ କରିଥିବା ବେଳେ ଦୁର୍ଗନ୍ଧରେ ନାକ ଫାଟିପଡୁଛି ସେହି ଅଞ୍ଚଳ । ହାତୀଙ୍କ ମଧ୍ୟରେ ଲଢ଼େଇ ପରେ ଜଙ୍ଗଲ ମଧ୍ୟରେ ହାତୀପଲ ରଡ଼ି ଛାଡୁଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି । ତେବେ ଘଟଣାର ଦୁଇଦିନ ପରେ ଗାଁ ଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ କମର୍ଦ୍ଧା ଫରେଷ୍ଟର ଦିଆଲୁ ରାଉତ, ଦଶରଥ ସାହୁଙ୍କ ସହିତ ଅନ୍ୟ କର୍ମଚାରୀ ପହଞ୍ଚି ଶବ ଜବତ କରିଥିଲେ। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଘଟଣାସ୍ଥଳରେ ଉତ୍ତର ବନଖଣ୍ଡ ଡିଏଫଓ ପ୍ରଭାକର ବର୍ମା, ଏସିଏଫ ପ୍ରଭୁଦତ୍ତ ମିଶ୍ର, ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜର ଭାରତଭୂଷଣ ଶବର ପ୍ରମୁଖ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ। ଏହାପରେ ନର୍ଲାରୁ ପ୍ରାଣୀ ସମ୍ପଦ ଚିକିତ୍ସକଙ୍କ ଟିମ ପହଞ୍ଚିବା ପରେ ଘଟଣାସ୍ଥଳରେ ବ୍ୟବଚ୍ଛେଦ କରାଯାଇ ସେଇ ନିକଟରେ ଗାତ ଖୋଳି ପୋତି ଦିଆଯାଇଥିବା ଜଣାପଡିଛି।
ତେବେ ଗତ ଦଶବର୍ଷ ହେଲା ଲାଞ୍ଜିଗଡ଼ ବ୍ଲକର କମର୍ଦ୍ଧା, ଭୁର୍ଟିଗଡ଼ ଓ ନର୍ଲା ବ୍ଲକର ବାଗପୁର, କୁରମେଲ ଆଦି ଅଞ୍ଚଳରେ ଜଙ୍ଗଲୀ ହାତୀ ପଲଙ୍କ ଚଳପ୍ରଚଳ ଲାଗି ରହିଥିବା ବେଳେ ବିଭିନ୍ନ ସମୟରେ ପାଞ୍ଚଟି ହାତୀର ମୃତ୍ୟୁ ଘଟିଥିବାବେଳେ ଦଶରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ସେହିପରି ଅଞ୍ଚଳର ହଜାର ହଜାର ଏକର ଜମିକୁ ହାତୀପଲ ଦଳିମକଚି ନଷ୍ଟ ଭ୍ରଷ୍ଟ କରିଦେଉଛନ୍ତି। ଏବେବି ମୃତ ହାତୀ ନିକଟରେ ଦୁଇଟି ହାତୀପଲ ରହିଥିବା ଓ ସେମାନଙ୍କ ଭୟରେ ମୃତ ହାତୀ ନିକଟରେ ପହଞ୍ଚିବାରେ ବିଳମ୍ବ ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଦୀର୍ଘବର୍ଷ ଧରି ଏ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଜାରି ରହିଥିବା ବେଳେ ବିଭିନ୍ନ ସମୟରେ ହାତୀ ଓ ମଣିଷଙ୍କ ଜୀବନ ହାନୀ ହେଉଛି । ଅନ୍ୟପଟେ, ବର୍ତ୍ତମାନ ସୁଦ୍ଧା ନର୍ଲା ରେଞ୍ଜର କାର୍ଯ୍ୟାଳୟ ନର୍ଲାରେ ନଥାଇ ଏମ.ରାମପୁରରେ ଅସ୍ଥାୟୀ ଭାବେ ଥିବାରୁ ପ୍ରାୟ ସମୟରେ ବନ ବିଭାଗର ଏପରି ଅବହେଳା ଯୋଗୁଁ ହାତୀ ଓ ମଣିଷଙ୍କ ମୃତ୍ୟୁ ହେଉଥିବା ନଜିର ରହିଛି ବୋଲି ସାମାଜିକକର୍ମୀ ଦୁର୍ଯ୍ୟୋଧନ କୁମାର ଓ ପୂର୍ବତନ ଜିଲା ପରିଷଦ ସଭ୍ୟ ପ୍ରଦୀପ ନାଏକ ପ୍ରକାଶ କରିଛନ୍ତି।