ବୋହୂଙ୍କ ସହିତ ଝଗଡ଼ା କରି ଆସିଥିଲେ: ମିଳିଲା ଝୁଲନ୍ତା ମୃତଦେହ

ମୋରଡା,୨।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅନ୍ତର୍ଗତ ଚିତ୍ରଡ଼ା ଫାଣ୍ଡି ଅଧୀନ ଉଲିଡ଼ିହି ଗ୍ରାମରେ ସୋମବାର ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ଉଲିଡ଼ିହି ଗ୍ରାମର ସାଉନା ମୁର୍ମୁ (୫୫)।

ମିଳିଥିବା ସୂଚନା ମୁତାବକ, ସାଉନା ଘରେ ପୁଅ ବୋହୂଙ୍କ ସହିତ ପାଟିତୁଣ୍ଡ କରି ଘରୁ ଚାଲି ଆସିଥିଲେ। ହେଲେ ସେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଖୋଜାଖୋଜି କରିବାରୁ ଗାଁ ନିକଟସ୍ଥ ଏକ ଗଛରେ ସାଉନାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏନେଇ ସ୍ଥାନୀୟ ଲୋକେ ଚିତ୍ରଡ଼ା ଫାଣ୍ଡି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଚିତ୍ରଡ଼ା ଫାଣ୍ଡି ଅଧିକାରୀ ନିରଞ୍ଜନ ସରେନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।