ବାଇକ୍‌ ସହ ଭାସି ଯାଇଥିବା ଯୁବକଙ୍କ ମିଳିଲା ମୃତଦେହ

ଫୁଲବାଣୀ ଅଫିସ, ୨୫ା୮: ଫୁଲବାଣୀ ଡାକପାଲା ଚେକ୍‌ ଡ୍ୟାମ ଉପର ରାସ୍ତାରେ ବୁଧବାର ରାତିରେ ଯିବାବେଳେ ବାଇକ ସହ ଜଣେ ଯୁବକ ଭାସି ଯାଇଥିଲେ। ଗୁରୁବାର ତାଙ୍କର ମୃତଦେହ ମିଳିଛି । ମୃତକ ହେଲେ ଡାକପାଲା ଘୋଟାଲ ସାହିର ତାପସ ରଞ୍ଜନ ଘୋଟାଲ ଓରଫ ବୁବୁ। ଅଗ୍ନିଶମ ବିଭାଗ ଏବଂ ଟିମ୍‌ ହ୍ୟୁମାନିଟି ସଦସ୍ୟମାନେ ତୁଡିପାଜୁ ପଞ୍ଚାୟତ କଲାମ୍ବୁର ଗ୍ରାମ ନିକଟ ନଦୀକୂଳ କଥା ପୋଲଠାରେ ତାପସଙ୍କ ମୃତଦେହ ଠାବ କରିଥିଲେ। ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଲଘୁଚାପଜନିତ ବର୍ଷା ଯୋଗୁ ଡାକପାଲା ଡ୍ୟାମ ଉପରେ ପ୍ରାୟ ୩ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିଲା ା ବୁଧବାର ରାତିରେ ତାପସ ବାଇକ୍‌ ଯୋଗେ ପାଣି ଉପରେ ଯାଉଥିବା ବେଳେ ଭାସି ଯାଇଥିଲେ । ଅଗ୍ନିଶମ ବିଭାଗ ଏବଂ ଟିମ୍‌ ହ୍ୟୁମାନିଟି ସଦସ୍ୟ ଉଦ୍ଧାର ପାଇଁ ଆସିଥିଲେ ମଧ୍ୟ ପ୍ରବଳ ସୁଅ ଯୋଗୁ ଖୋଜାଖୋଜି ହୋଇପାରି ନ ଥିଲା। ସକାଳେ କଥା ପୋଲଠାରେ ଏକ ମୃତଦେହ ଭାସୁଥିବା ଦେଖାଯାଇଥିଲା । ଉଦ୍ଧାର ପରେ ତାଙ୍କ ପରିଚୟ ମିଳିଥିଲା । ସୂଚନାଯୋଗ୍ୟ, ପୂର୍ବରୁ ତାପସଙ୍କ ବାପା ଏବଂ ଜଣେ ଭାଇଙ୍କ ମୃତ୍ୟୁ ହୋଇସାରିଛି । ତାପସ ମା’ଙ୍କ ସହ ରହୁଥିଲେ । ମା’ ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି।