ରାସ୍ତାରୁ ଜବତ ହେଲା ଯୁବକଙ୍କ ମୃତଦେହ: କାରଣ ଖୋଜୁଛି ପୋଲିସ

କୋକସରା,୧।୯(ଡି.ଏନ.ଏ): କଳାହାଣ୍ଡି ଜିଲା ଆମପାଣି ଥାନା ଅଧୀନ ସାନ ପୋଡ଼ାଗୁଡା ପଞ୍ଚାୟତ କଲୋନୀପଡ଼ା ନିକଟସ୍ଥ ବିଜୁ ଏକ୍ସପ୍ରେସ ୱେରୁ ଜଣେ ଯୁବକଙ୍କ ମୃତଦେହ ବୁଧବାର ରାତିରେ ପୋଲିସ ଜବତ କରିଛି। ସେ ହେଲେ ସାନ ପୋଡ଼ାଗୁଡା ଗ୍ରାମର ଟିକେଶ୍ୱର ବେମାଲ(୩୦)। ରାସ୍ତା ଉପରେ ତାଙ୍କର ବାଇକ୍‌ ପଡିଥିବା ବେଳେ କୌଣସି ଏକ ଭାରି ଯାନ ଧକ୍କାରେ ଟିକେଶ୍ୱରଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଅନ୍ୟପକ୍ଷେ ଟିକେଶ୍ୱରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ରାସ୍ତା ଉପରେ ଯୁବକଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକ ପରିବାର ଲୋକଙ୍କୁ ଜଣାଇଥିଲେ। ଖବର ପାଇ ଆମପାଣି ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସ୍ବାଇଁ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ତେବେ କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।