ଅଷ୍ଟ୍ରେଲିଆ,୨୭।୧୦: ମୃତ୍ୟୁ ପରେ ମଧ୍ୟ ମନୁଷ୍ୟ ଶରୀର ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୁଏ ନାହିଁ । ବରଂ ଏହା ଭିତରେ ଏକ ଭିନ୍ନ ପ୍ରକ୍ରିୟା ଚାଲୁ ରହେ, ଯାହା ମୃତଦେହକୁ ହଲଚଲ କରିବା ସହ ସେଥିରୁ ବିଭିନ୍ନ ପ୍ରକାର ଶବ୍ଦ ସୃଷ୍ଟି କରିଥାଏ। ଅଷ୍ଟ୍ରେଲିଆର କେତେକ ଗବେଷକମାନଙ୍କ ଦ୍ୱାରା ନିକଟରେ କରାଯାଇଥିବା ଏକ ଫରେନ୍ସିକ ଗବେଷଣାରୁ ଜଣାପଡ଼ିଛି ଯେ, ମୃତ୍ୟୁର ପ୍ରାୟ ୧୬ ମାସ ପର୍ଯ୍ୟନ୍ତ ମୃତଦେହ ନିଜ ସ୍ଥାନରୁ ପ୍ରାୟ ୨୦ ଇଞ୍ଚ ପର୍ଯ୍ୟନ୍ତ ଘୁଞ୍ଚିପାରେ। ସାଧାରଣ ଲୋକେ ଏହାକୁ ଭୂତ-ପ୍ରେତ ବା ଜୋମ୍ବି ଆପୋକାଲିପ୍ସ ଭଳି ଅଲୌକିକ ଘଟଣା ବୋଲି ଭାବି ଭୟଭୀତ ହୁଅନ୍ତି, ମାତ୍ର ବୈଜ୍ଞାନିକଙ୍କ ମତରେ ଏହା ସମ୍ପୂର୍ଣ୍ଣ ରୂପେ ଏକ ପ୍ରାକୃତିକ ଜୈବିକ ପ୍ରକ୍ରିୟା। ଶରୀରର ଏହି ହଲ୍ଚଲ୍ ପଛରେ କୌଣସି ଜୀବନ୍ତ ମାଂସପେଶୀର ସଙ୍କୋଚନ ନଥାଏ ବରଂ ମୃତ୍ୟୁ ପରର ବିଭିନ୍ନ ପର୍ଯ୍ୟାୟ ଏଥିପାଇଁ ଦାୟୀ। ମୃତ୍ୟୁର ପ୍ରାରମ୍ଭିକ ପର୍ଯ୍ୟାୟରେ ମାଂସପେଶୀ ଶକ୍ତ ହୋଇଯାଏ, ଯାହାକୁ ‘ରାଇଗର ମର୍ଟିସ’ କୁହାଯାଏ। ଏହା ପରେ ଶରୀରର ନିଜସ୍ବ ଏନ୍ଜାଇମ ଏବଂ ବ୍ୟାକ୍ଟେରିଆ ଜୀବକୋଷଗୁଡ଼ିକୁ ନଷ୍ଟ କରିବା ସହ ଶରୀର ଭିତରେ ଗ୍ୟାସ ସୃଷ୍ଟି କରନ୍ତି। ଏହି ଗ୍ୟାସ କାରଣରୁ ଶରୀର ଫୁଲିଯାଏ ଏବଂ ପରେ ସେହି ଗ୍ୟାସ ବାହାରିଯିବା ସମୟରେ ମୃତଦେହ ନିଜ ସ୍ଥାନରୁ ସାମାନ୍ୟ ଘୁଞ୍ଚିଲା ଭଳି ମନେହୁଏ।
ମୃତ ଶରୀରରୁ ବେଳେବେଳେ କାନ୍ଦିବା, ଦୀର୍ଘଶ୍ୱାସ ପକାଇବା କିମ୍ବା ଗୁଣୁଗୁଣୁ ହେବା ଭଳି ଶବ୍ଦ ମଧ୍ୟ ଶୁଣାଯାଏ। ପ୍ରକୃତରେ ପାଚନ ପ୍ରକ୍ରିୟା ସମୟରେ ଶରୀର ଭିତରେ ଜମା ହେଉଥିବା ଗ୍ୟାସ୍ ଓ ତରଳ ପଦାର୍ଥ ଯେତେବେଳେ ପାଟି କିମ୍ବା ନାକ ବାଟ ଦେଇ ବାହାରକୁ ଆସିବାକୁ ଚେଷ୍ଟା କରେ ସେତେେବେଳେ ଏଭଳି ଅଜବ ଶବ୍ଦ ସୃଷ୍ଟି ହୋଇଥାଏ। ଜୀବିତ ଅବସ୍ଥାରେ ମନୁଷ୍ୟ ଶରୀର ଯେଭଳି କୋଟି କୋଟି ଅଣୁଜୀବଙ୍କୁ ନେଇ ଗଠିତ ପରିସଂସ୍ଥା ହୋଇଥାଏ, ମୃତ୍ୟୁ ପରେ ବି ସେହି ଅଣୁଜୀବ ଶରୀରକୁ ମାଟିରେ ମିଶାଇବା ପାଇଁ ନିଜର କାମ ଜାରି ରଖନ୍ତି। ଏହି ଜୈବିକ ପ୍ରକ୍ରିୟା କେବଳ ଲୋକଙ୍କ ମନରୁ ଭୟ ଦୂର କରେ ନାହିଁ ବରଂ ଅପରାଧ ଅନୁସନ୍ଧାନ କ୍ଷେତ୍ରରେ ଏକ ନୂଆ ଦିଗ ଦେଖାଇଛି। ବର୍ତ୍ତମାନ ଫରେନ୍ସିକ ବିଜ୍ଞାନୀମାନେ ମୃତଦେହରେ ଥିବା ଅଣୁଜୀବଙ୍କ ପରିବର୍ତ୍ତନକୁ ଆଧାର କରି ଏକ ମାଇକ୍ରୋବିୟାଲ କ୍ଲକ ବା ଜୈବିକ ଘଣ୍ଟା ପ୍ରସ୍ତୁତ କରିଛନ୍ତି। ଯାହାଦ୍ୱାରା ମୃତ୍ୟୁର ଠିକ ସମୟ ଜଣାପଡ଼ିପାରିବ।