ମହାକାଳପଡ଼ା, ୨୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣି ପଞ୍ଚାୟତ ବଡ଼ତୋଟା ଛପାଲି ଅମ୍ବିକା ସୁନ୍ଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନଭୋଜନରେ ମଲା ଅସରପା ଓ ଝିଟିପିଟି ବାହାରି ଥିବା ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ମଙ୍ଗଳବାର ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଉପସ୍ଥିତ ଥିବା ୯୫ ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନଭୋଜନ ପ୍ରସ୍ତୁତ ହୋଇଥିଲା। ସୋୟା ବଡ଼ି ତରକାରିରେ ମଲା ଅସରପା ଓ ଝିଟିପିଟି ପଡ଼ିଥିବା ମଧ୍ୟାହ୍ନଭୋଜନ ବେଳେ ଛାତ୍ରୀଛାତ୍ର ଅଭିଯୋଗ କରିଥିଲେ। ଖବର ପାଇ ଅଭିଭାବକମାନେ ବିଦ୍ୟାଳୟରେ ପହଞ୍ଚି ଏହାକୁ ନେଇ ହୋହଲ୍ଲା କରିବା ସହ ପିଲାଙ୍କୁ ମଧ୍ୟାହ୍ନଭୋଜନ ଖାଇବାକୁ ଦେଇ ନ ଥିଲେ। ପ୍ରଧାନଶିକ୍ଷୟିତ୍ରୀ ଗୌରୀ ମାହାଳିକ ଆଗାମୀ ଦିନରେ ଏଭଳି ତ୍ରୁଟି ହେବ ନାହିଁ ଏବଂ ରୋଷେଇ ବେଳେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି। ବ୍ଲକ ଶିକ୍ଷା ଅଧିକାରୀ କୈଳାଶ ଚନ୍ଦ୍ର ଦଳାଇଙ୍କୁ ଏ ନେଇ ପଚାରିବାରୁ ମଧ୍ୟାହ୍ନଭୋଜନରେ ମଲା ଅସରପା ପଡ଼ିବା ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି। ପ୍ରକାଶ ଯେ, ଉକ୍ତ ସ୍କୁଲରେ ୧୩୭ ଜଣ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି।