ମୁମ୍ୱାଇ,୧୬ା୪: ଚଳିତ ଆଇପିଏଲ୍ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍ଆଇ) ଓ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) ପରସ୍ପରକୁ ଭେଟିଛନ୍ତି। କ୍ୱିଣ୍ଟନ ଡି’ କକ୍ଙ୍କ ଅପରାଜିତ ଶତକ ବଳରେ ମୁମ୍ୱାଇ ପ୍ରତିପକ୍ଷ ପଞ୍ଜାବ ସମ୍ମୁଖରେ ୧୯୬ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିଛି। ଏହି ମ୍ୟାଚ୍ ଜରିଆରେ ମୟଙ୍କ ରାଓ୍ୱତ ଆଇପିଏଲ୍ ପଦାର୍ପଣ କରିଥିବା ବେଳେ ଅର୍ଶଦୀପ ସିଂ ଆଇପିଏଲ୍ରେ ୧୦୦ ଉଇକେଟ ପୂରଣ କରିଛନ୍ତି।
ଟସ୍ ଜିତି ପଞ୍ଜାବ ଅଧିନାୟକ ଶ୍ରେୟସ ଆୟାର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ପେସର ଅର୍ଶଦୀପ ସିଂ ଠିକ ସାବ୍ୟସ୍ତ କରିଥିଲେ। ସେ ପ୍ରଥମ ଓଭରରେ ମାତ୍ର ୧ ରନ ବ୍ୟୟ କରିଥିବା ବେଳେ ତୃତୀୟ ଓଭରରେ କ୍ରମାଗତ ବଲରେ ରିଆନ ରିକଲଟନ (୨) ଓ ସୂର୍ଯ୍ୟକୁମାର ଯାଦବ(୦)ଙ୍କୁ ଆଉଟ୍ କରିଥିଲେ। ଫଳରେ ମୁମ୍ୱାଇ ୧୨ ରନ ମଧ୍ୟରେ ୨ ଉଇକେଟ ହରାଇଥିଲା।
ଏଭଳି ପରିସ୍ଥିତିରେ ଉପର ଅର୍ଡରରେ ବ୍ୟାଟିଂ ଆସିଥିବା ନମନ ଧୀର, ଅନ୍ୟତମ ଓପନର ଡି’ କକ୍ଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଦୁଇ ବ୍ୟାଟରଙ୍କୁ ଆରମ୍ଭରୁ ପଞ୍ଜାବର ଫିଲ୍ଡରମାନେ ଥରେ ଲେଖାଏ ଜୀବନଦାନ ଦେଇଥିଲେ। ଏହାର ଫାଇଦା ଉଠାଇ ଦୁହେଁ ୧୧.୨ ଓଭରରେ ତୃତୀୟ ଉଇକେଟରେ ୧୨୨ ରନ କରିଥିଲେ। ନମନ ଅର୍ଦ୍ଧଶତକ ପୂରଣ କରିବା ପରେ ୧୪ତମ ଓଭରରେ ପାଭିଲିଅନ ଫେରିବାରୁ ଯୋଡ଼ି ଭାଙ୍ଗିଥିଲା।
ସେ ଆଉଟ୍ ହେବା ପୂର୍ୱରୁ ୩୧ ବଲରେ ୫୦ (୩ ଲେଖାଏ ଚୌକା ଓ ଛକା) ରନ କରିଥିଲେ। ଏହାପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (୧୪) ଓ ଶେର୍ଫାନେ ରଥରଫୋର୍ଡ (୧) ଫେଲ୍ ମାରିଥିଲେ। ହେଲେ ଡି’ କକ୍ ଶତକ ପୂରଣ କରିବା ସହ ଦଳୀୟ ସ୍କୋରକୁ ୧୯୦ ପାର କରାଇଥିଲେ। ଫଳରେ ମୁମ୍ୱାଇ ୨୦ ଓଭରରେ ୬ ଉଇକେଟ ହରାଇ ୧୯୫ ରନ କରିଥିଲା। ଡି’ କକ୍ ୬୦ ବଲରେ ୮ ଚୌକା ଓ ୭ ଛକା ସହିତ ୧୧୨ ରନ କରି ଅପରାଜିତ ରହିଥିଲେ।