ଡିଡି କଲେଜ ପାଚେରି ଭଙ୍ଗାକୁ ନେଇ ବିବାଦ

କେନ୍ଦୁଝର,୨୫ା୮(ସ୍ବ.ପ୍ର.): କେନ୍ଦୁଝରଗଡ଼ ପୌରାଞ୍ଚଳରେ ଥିବା ଧରଣୀଧର ସ୍ବୟଂଶାସିତ(ଡିଡି) ମହାବିଦ୍ୟାଳୟର ପାଚେରି ଭଙ୍ଗାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଜବରଦଖଲ ଉଚ୍ଛେଦ ନାମରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ସୂଚନା ନ ଦେଇ କଲେଜ ପାଚେରି ଭଙ୍ଗା ଯାଇଥିବାରୁ ପରିସର ଅସୁରକ୍ଷିତ ହୋଇପଡ଼ିଛି। କେନ୍ଦୁଝର ସହରରେ ବହୁ ମୂଲ୍ୟବାନ ଜମି ଜବରଦଖଲ କରି ବ୍ୟବସାୟିକ କେନ୍ଦ୍ର ନିର୍ମାଣ ହୋଇଥିଲେ ହେଁ ଅଭିଯୋଗ ସତ୍ତ୍ୱେ ଉଚ୍ଛେଦ କରାଯାଉ ନାହିଁ। ଜବରଦଖଲ ଉଚ୍ଛେଦ ଆଳରେ ସାତସିଙ୍ଗା ମୌଜାରେ ଥିବା କଲେଜ ସୁରକ୍ଷା ପାଚେରିକୁ ଭଙ୍ଗାଯିବା ଘଟଣା ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ୨୦୦୬ ମସିହାରେ ତତ୍‌କାଳୀନ ଅଧ୍ୟକ୍ଷ କଲେଜର ସୁରକ୍ଷାକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟର ଜମି ଚିହ୍ନଟ କରି ପାଚେରି ନିର୍ମାଣ କରାଇଥିଲେ। ପରବର୍ତ୍ତୀ ସମୟରେ ଲୋକଙ୍କ ଯାତାୟାତ ସୁବିଧା ପାଇଁ ପୂର୍ବରୁ ନିର୍ମାଣ ହୋଇଥିବା ଘରକୁ ଯିବାଆସିବା ପାଇଁ ସର୍ତ୍ତମୂଳକ ରାସ୍ତା ଛଡ଼ା ଯାଇଥିଲା। ତଦ୍‌ନୁଯାୟୀ ସାତସିଙ୍ଗା ମାୈଜାରେ ରଜନୀକାନ୍ତ ମହାନ୍ତି ଏବଂ ଖଗେଶ୍ୱର ମହାନ୍ତ ନାମକ ଦୁଇ ଜଣଙ୍କ ସହିତ ଚୁକ୍ତି କରି କଲେଜ ପକ୍ଷରୁ ରାସ୍ତା ଛଡ଼ାଯାଇଥିଲା। ସେମାନଙ୍କ ବ୍ୟତୀତ ଅନ୍ୟ କେହି ଉକ୍ତ ରାସ୍ତା ବ୍ୟବହାର କରିପାରିବେ ନାହିଁ ବୋଲି ଚୁକ୍ତିପତ୍ରରେ ଉଲ୍ଲେଖ ହୋଇଛି। ଏଭଳି ପରିସ୍ଥିତିରେ ଗତ ଅଗଷ୍ଟ ୧୮ ତାରିଖରେ ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ଜଣେ ବ୍ୟକ୍ତିଙ୍କ ପାଚେରି ନିର୍ମାଣ ଆଳରେ ବିନା ତଦନ୍ତରେ ଡିଡି କଲେଜ ପାଚେରି ଭାଙ୍ଗି ଦିଆଯିବା ସମସ୍ତଙ୍କୁ ଚକିତ କରିଥିଲା। ଅନ୍ୟପକ୍ଷରେ ଏକ ତରଫା ଭାବେ ବେଆଇନ ଭାବରେ ପାଚେରି ଭାଙ୍ଗିବା ଫଳରେ କଲେଜ ପରିସର ଅସୁରକ୍ଷିତ ହୋଇପଡ଼ିଛି। ଏଣୁ ଏହାର ତଦନ୍ତ ପାଇଁ ଜିଲାପାଳଙ୍କୁ ଜଣାଇବା ସହ ଥାନାରେ ଅଭିଯୋଗ କରିବେ ବୋଲି ଅଧ୍ୟକ୍ଷ କହିଛନ୍ତି।