କଣାସ,୨୬ା୫(ବିଭୂତି ଭୂଷଣ ତ୍ରିପାଠୀ): ଓଡ଼ିଶା ଇତିହାସରୁ ଜଣାପଡ଼େ ଅଶୋକଙ୍କ କଳିଙ୍ଗ ବିଜୟ ସମୟରେ ଏକ ଲକ୍ଷ ସୈନ୍ୟ ନିହତ ହେବା ସହ ୫ ଲକ୍ଷ ସୈନିକ ଆହତ ହୋଇଥିଲେ। ସୈନ୍ୟମାନଙ୍କ ରକ୍ତ ସେହି ଦୟାନଦୀକୁ ରକ୍ତରଞ୍ଜିତ କରିଥିଲା। ଏବେ ସେହି ଦୟା ନଦୀର ସ୍ଥିତି ଲୋକଲୋଚନରୁ ହଜିଯିବାକୁ ବସିଲାଣି। କୂଆଖାଇ ନଦୀରୁ ସରଦେଇପୁରଠାରୁ ଦୟାନଦୀ ବାହାରି ଭୁବନେଶ୍ୱର ଉପକଣ୍ଠ ଦେଇ ଧଉଳି ପାଦଦେଶରେ ପ୍ରବାହିତ ହୋଇ କଣ୍ଟି, ତିରିମଲ୍ଲ, ଘୋରଡ଼ିଆ, କଣାସ, ଜଙ୍କିଆ, ଗଡ଼ିଶାଗୋଦା ଦେଇ ଚିଲିକାରେ ମିଶିଛି।
ତିରିମଲ୍ଲଠାରେ ଦୟାନଦୀରୁ ରାଜୁଆ ନଦୀ ବାହାରି ପୁନଶ୍ଚ ନୂଆ ଦୋକନ୍ଦାଠାରେ ଦୟାରେ ମିଶିଛି। ରାଜୁଆ ନଦୀ ବର୍ତ୍ତମାନ ଚିରସ୍ରୋତା ହୋଇପଡ଼ିଥିବା ବେଳେ କିମ୍ବଦନ୍ତୀ ଦୟାନଦୀ ଶଯ୍ୟା ପୋତିହୋଇ ହଜିଯିବାକୁ ବସିଲାଣି। ଦୟାନଦୀର ଉପକୂଳବାସୀ ପୂର୍ବରୁ ଟ୍ରକ୍ ଟ୍ରକ୍ ଆଳୁ, ବାଇଗଣ, କଲରା, ପୋଟଳ, ଜହ୍ନି, କାକୁଡ଼ି, କଖାରୁ, ଲଙ୍କା ଚାଷକରି ରାଜ୍ୟର ବିଭିନ୍ନ ସହର ଓ ବାହାର ରାଜ୍ୟକୁ ପଠାଉଥିଲେ। ଦୀର୍ଘ ୨୦ ବର୍ଷ ହେଲା ତାହା ଆଉ ଦେଖିବାକୁ ମିଳୁନି। ଆଗରୁ ବର୍ଷସାରା ଜଳ ପ୍ରବାହିତ ହେଉଥିଲା, ବର୍ତ୍ତମାନ ବର୍ଷକୁ ୮ ମାସ ଜଳ ପ୍ରବାହିତ ହେଉ ନ ଥିବାରୁ ଦୟାନଦୀ କୂଳିଆ ଚାଷୀମାନେ ପରିବା ଚାଷରୁ ବଞ୍ଚତ୍ତ ହେଉଛନ୍ତି। ଦୟାନଦୀରୁ ବାହାରିଥିବା ରାଜୁଆ ଖାଲୁଆ ହୋଇଥିବାବେଳେ ଦୟାନଦୀ ମୁହଁ ପୋତିହୋଇ ଢିପ ହୋଇଯାଇଥିବାରୁ ବର୍ଷକରେ ୮ ମାସ ଜଳ ପ୍ରବାହିତ ହେଉନାହିଁ। ନଦୀଶଯ୍ୟା ଖନନ ପାଇଁ ନୀଳାଚଳ କୃଷକ ମହାସଂଘ ଓ ଅନ୍ୟାନ୍ୟ ସଂଗଠନ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଆଗାମୀ ଦିନରେ ଦୟା ନଦୀ ଯେ ବିଲୁପ୍ତ ନ ହେବ ସମୟ ତାହା କହିବ।


