Categories: ଖେଳ

ପ୍ରଥମ ଦିନିକିଆ: ଇଂଲଣ୍ଡ ୬ ଉଇକେଟରେ ବିଜୟୀ

ସାଉଥାମ୍ପଟନ,୩୧।୭(ଏପି): ପ୍ରତ୍ୟାବର୍ତ୍ତନରେ ଡେଭିଡ୍‌ ଓ୍ବିଲି ଦମ୍‌ଦାର ବୋଲିଂ କରି ଇଂଲଣ୍ଡକୁ ଆୟର୍ଲାଣ୍ଡ ବିପକ୍ଷରେ ବିଜୟୀ କରାଇଛନ୍ତି। ସ୍ଥାନୀୟ ରୋଜ ବାଉଲ ଗ୍ରାଉଣ୍ଡରେ ଗୁରୁବାର ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ୬ ଉଇକେଟରେ ଭ୍ରମଣକାରୀ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଆୟର୍ଲାଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୪.୪ ଓଭରରେ ୧୭୨ ରନକରି ଅଲଆଉଟ୍‌ ହୋଇଥିଲା। ଜବାବରେ ଇଂଲଣ୍ଡ ୨୭.୫ ଓଭରରେ ୪ ଉଇକେଟ ହରାଇ ୧୭୪ ରନକରି ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଇଂଲଣ୍ଡ ୧-୦ରେ ଅଗ୍ରଣୀ ହାସଲ କରିଛି। ୫ ଉଇକେଟ ସଫଳତା ହାସଲ କରିଥିବା ଓ୍ବିଲି ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୭୩ ରନ ଟାର୍ଗେଟର ପିଛା କରି ଇଂଲଣ୍ଡ ମଧ୍ୟ ୭୮ ରନରେ ୪ ଉଇକେଟ ହରାଇ ଅନୁରୂପ ଭାବେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଜନୀ ବେୟାରଷ୍ଟୋ ୨, ଜାସନ ରଏ ୨୪, ଜେମ୍ସ ଭିନ୍ସ ୨୫, ଟମ୍‌ ବାଣ୍ଟନ ୧୧ ରନ କରି ଆଉଟ ହୋଇଥିଲେ। ତେବେ ପଞ୍ଚମ ଉଇକେଟ ଯୋଡିରେ ଇଅନ ମୋର୍ଗାନ ଓ ସାମ ବିଲିଙ୍ଗ୍ସ ଆଉ କୌଣସି କ୍ଷତି ହେବାକୁ ନ ଦେଇ ୮୫ ବଲରୁ ଅପରାଜିତ ୯୬ ରନ କରି ଦଳକୁ ବିଜୟୀ କରାଇଥିଲେ। ବିଲିଙ୍ଗ୍ସ ୫୪ ବଲରୁ ୧୧ ଚୌକା ସହ ୬୭ ଓ ମୋର୍ଗାନ ୪୦ ବଲରୁ ୨ ଚୌକା ଓ ୪ ଛକା ସହ ୩୬ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଆୟର୍ଲାଣ୍ଡ ତରଫରୁ କ୍ରେଗ ୟଙ୍ଗ ୨, ଆଣ୍ଡି ମ୍ୟାକ୍‌ବ୍ରାଏନ ଓ କର୍ଟିସ କ୍ୟାମ୍ପର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ୭୯ରେ ୭ ଉଇକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ତରଫରୁ କ୍ୟାମ୍ପର ଅପରାଜିତ ୫୯ ଓ ମ୍ୟାକ୍‌ବ୍ରାଏନ୍‌ ୪୦ ରନ କରି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ଓପନର ଗାରେଥ ଡିଲାନି ୨୨, କେଭିନ୍‌ ଓ’ବ୍ରାଏନ ୨୨, କ୍ରେଗ୍‌ ୟଙ୍ଗ୍‌ ୧୧ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଓ୍ବିଲି ୫, ସାକିବ୍‌ ମାହମୁଦ ୨, ଆଦିଲ ରସିଦ୍‌ ଓ ଟମ୍‌ କୁରାନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତି ସ୍କୋର:
ଆୟର୍ଲାଣ୍ଡ ୪୪.୪ ଓଭରରେ ୧୭୨ ଆଲଆଉଟ୍‌
(କ୍ୟାମ୍ପର- ୫୯*, ମ୍ୟାକ ବ୍ରାଏନ୍‌- ୪୦, ଓ’ବ୍ରାଏନ- ୨୨, ଗ୍ୟାରେଥ ଡିଲାନୀ- ୨୨, ୟଙ୍ଗ-୧୧, ଓ୍ବିଲି- ୫/୩୦, ମେହମୁଦ-୨/ ୩୬)।
ଇଂଲଣ୍ଡ ୨୭.୫ ଓଭରରେ ୧୭୪/୪
( ସାମ ବିଲିଙ୍ଗ୍ସ- ୬୭*, ଇଅନ ମୋର୍ଗାନ- ୩୬*, ଜାସନ ରଏ- ୨୪, ଜେମ୍ସ ଭିନ୍ସ- ୨୫, କ୍ରେଗ ୟଙ୍ଗ- ୨/୫୬)।

Share