ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି ଯୁବଗୋଷ୍ଠୀଙ୍କ ମିଳିତ ଉଦ୍ୟମରେ ଭଞ୍ଜନଗର କଲେଜ ପଡ଼ିଆରେ ଭଲିବଲ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ଏହି ପ୍ରତିଯୋଗିତାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଡିଏଭି ସ୍କୁଲ୍ ଓ ଆରିୟନ୍ ଏକାଡେମୀର ୪ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ୍ ମ୍ୟାଚ୍ରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟକୁ ପରାସ୍ତ କରି ଡିଏଭି ସ୍କୁଲ୍ ଚାମ୍ପିଅନ୍ ହୋଇଥିଲା। ତମନ୍ନା ପୋଲେଇ ଓ ଶୈଳେଶ ବେହେରାଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା।
କାର୍ଯ୍ୟକ୍ରମରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ, ପ୍ରଶାସନିକ ଅଧିକାରୀ କୁମୁଦ ଚନ୍ଦ୍ର ମହାପାତ୍ର, ଅଧ୍ୟାପିକା ରାଜଲକ୍ଷ୍ମୀ ରଥ ଓ ସୁନୀତା ରାଣୀ ଖଣ୍ଡୁଆଳ, ଅଧ୍ୟାପକ ଡ. ରବୀନ୍ଦ୍ର ମିଶ୍ର, କ୍ରୀଡ଼ା ପ୍ରଶିକ୍ଷକ ସୁବାସ ଗୌଡ଼ ଓ ପ୍ରବୀଣ ଖାଡ଼େଙ୍ଗା ଅତିଥି ଭାବେ ଯୋଗଦେଇଥିଲେ। କ୍ରୀଡ଼ା ପ୍ରଶିକ୍ଷକ ପି. ରମେଶ, ବିଚିତ୍ର ଜେନା, ପ୍ରଦ୍ୟୁମ୍ନ ପୋଲେଇ, ସଞ୍ଜୟ ନାୟକ ଓ ରାକେଶ ପଣ୍ଡା ପ୍ରତିଯୋଗିତା ପରିଚାଳନା କରିଥିଲେ।
ସେହିପରି, ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଆୟୋଜିତ ଜାତୀୟ କ୍ରୀଡ଼ା ଦିବସ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କମାନୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଦିବସ ପାଳନର ଉଦ୍ଦେଶ୍ୟ ଓ ଛାତ୍ରୀଛାତ୍ରଙ୍କ ଜୀବନରେ କ୍ରୀଡ଼ାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। କ୍ରୀଡ଼ା ଶାରୀରିକ ସୁସ୍ଥତା ସହିତ ଶୃଙ୍ଖଳା, ଦଳଗତ ମନୋଭାବ ଓ ନେତୃତ୍ୱ ଗୁଣର ବିକାଶରେ ସହାୟକ ବୋଲି ସେ କହିଥିଲେ।