ନୂଆଦିଲ୍ଲୀ,୧୨।୧୧: କୁହାଯାଏ, ଝିଅ ଘରର ଲକ୍ଷ୍ମୀ । ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛି ପଞ୍ଜାବର ଏକ ଘଟଣା । ଝିଅ ଜନ୍ମ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ବାପାଙ୍କ ଭାଗ୍ୟ ବଦଳିଯାଇଛି । ଜଣେ ୨୪ ବର୍ଷୀୟ ବଢ଼େଇ ଯୁଦ୍ଧବୀର ସିଂ ୧.୫ କୋଟି ଟଙ୍କାର ଲଟେରି ଜିତିଛନ୍ତି। ଏହାପରେ ସେ ନିଜ ନବଜାତ ଝିଅର ନାଁ ‘ବରକତ’ ରଖିଛନ୍ତି ।
ପଞ୍ଜାବର ମାନସା ଜିଲା ଅନ୍ତର୍ଗତ ବରେଟା ସହରରେ ରହୁଥିବା ଯୁଦ୍ଧବୀର ସିଂ ପେସାରେ ଜଣେ ବଢ଼େଇ। ଏକ ରିପୋର୍ଟ ଅନୁଯାୟୀ, ସେ ‘ପଞ୍ଜାବ ଷ୍ଟେଟ୍ ଡିୟର ୨୦୦ ମନ୍ଥଲି ଲଟେରି’ର ପ୍ରଥମ ପୁରସ୍କାର ଭାବେ ୧.୫ କୋଟି ଟଙ୍କା ଜିତିଛନ୍ତି । ନଭେମ୍ବର ୬ ତାରିଖରେ ତାଙ୍କ ଘରେ ଝିଅ ଜନ୍ମ ହୋଇଥିବା ବେଳେ ନଭେମ୍ବର ୭ରେ ଲଟେରି ବିଜେତାଙ୍କ ନାଁ ଘୋଷଣା ହୋଇଥିଲା। ଝିଅ ଜନ୍ମ ହେବାର ଗୋଟିଏ ଦିନ ମଧ୍ୟରେ ଏତେ ବଡ଼ ପୁରସ୍କାର ମିଳିବା ପରେ ପରିବାରର ଖୁସି କହିଲେ ନସରେ।
ନଭେମ୍ବର ୪ ତାରିଖରେ ଯୁଦ୍ଧବୀର ନିଜ ଗର୍ଭବତୀ ପତ୍ନୀ ହରମନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ମାନସାର ଏକ ହସ୍ପିଟାଲକୁ ନେଇଯାଉଥିଲେ। ଏହି ସମୟରେ ବୁଢ଼ଲାଡ଼ାର ଏକ ଲଟେରି ଷ୍ଟଲ୍ରୁ ସେ ଟିକେଟ୍ କିଣିଥିଲେ। ମୋବାଇଲ୍ ନମ୍ବର ପୋର୍ଟ କରିବା ପାଇଁ ଷ୍ଟଲ୍ ନିକଟରେ ଅଟକିବାକୁ ପଡ଼ିଥିଲା। ସେଠାରେ ହଠାତ୍ ଲଟେରି କିଣିବାକୁ ମନ ବଳାଇଥିଲେ। ତାଙ୍କୁ ଆଦୌ ଜଣା ନଥିଲା ଯେ ଏହି ଟିକେଟ୍ ତାଙ୍କ ଜୀବନରେ ଏତେ ବଡ଼ ଖୁସି ଆଣିଦେବ ।
ଯୁଦ୍ଧବୀରଙ୍କ ଲଟେରି ଟିକେଟ୍ କିଣିବା ନିଷ୍ପତ୍ତିରେ ତାଙ୍କ ପତ୍ନୀ ଖୁସି ନଥିଲେ। କାରଣ ପରିବାର ଆଗରୁ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲା। ହସ୍ପିଟାଲ ଓ ଔଷଧ ଖର୍ଚ୍ଚ ପାଇଁ ପରିବାରକୁ ପ୍ରତିଟି ଟଙ୍କା ସଞ୍ଚୟ କରିବାକୁ ପଡ଼ୁଥିଲା। କିନ୍ତୁ ଝିଅ ଜନ୍ମ ହେବା ପରେ ଲଟେରିରେ ୧.୫ କୋଟି ଟଙ୍କା ମିଳିବା ତାଙ୍କ ପରିବାରର ଖୁସିକୁ ଦ୍ୱିଗୁଣିତ କରିଦେଇଛି ।
ଯୁଦ୍ଧବୀର ନିଜ ଭାଗ୍ୟ ପରିବର୍ତ୍ତନର ଶ୍ରେୟ ଝିଅକୁ ଦେଇଛନ୍ତି। ସେ କହିଛନ୍ତି, “ମୁଁ ତା’ର ନାଁ ବରକତ ରଖିଛି। ସେ ଆମ ଘରକୁ ସୌଭାଗ୍ୟ ନେଇ ଆସିଛି । ଏପରି ସ୍ଥିତିରେ ତା’ର ଆଉ କିଛି ନାଁ କିପରି ରଖିଥାଆନ୍ତି।”