ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି, ଏହା ସହ ଗ୍ୟାଷ୍ଟ୍ରିକ ଓ କୋଷ୍ଠକାଠିନ୍ୟ ସମସ୍ୟାକୁ…

ଖଜୁରିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ଆମେ ବିଶେଷଭାବରେ ଜଳଖିଆରେ ବ୍ୟବହାର କରିଥାଉ। ଏହାକୁ ନିୟମିତ ଖାଇଲେ ହଜମ କ୍ରିୟା ଆହୁରି ସକ୍ରିୟ ରହିଥାଏ ବୋଲି ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି। ‘ହଜମ କ୍ରିୟା ଓ ଖଜୁରି’ ଶୀର୍ଷକ ବିଷୟକୁ ନେଇ ଟୋକିଓ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ପ୍ରଥମେ ନିୟମିତ ଖାଦ୍ୟ ତାଲିକାରେ ଖଜୁରି ସାମିଲ କରିବାକୁ ପରାମର୍ଶ ଦିଆଯାଇଥିଲା। ଅନ୍ୟପକ୍ଷରେ ନିୟମିତ ସମୟ ବ୍ୟବଧାନରେ ଏହାର ପ୍ରଭାବ ସେମାନଙ୍କର ହଜମ କ୍ରିୟା ଉପରେ କିପରି ପଡୁଛି ତାହାକୁ ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ତନ୍ନ ତନ୍ନ କରି ପରୀକ୍ଷା କରିଥିଲେ। ପରିଶେଷରେ ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତିଙ୍କର ହଜମ ପ୍ରକ୍ରିୟା କେତେକାଂଶରେ ପୂର୍ବାପେକ୍ଷା ସକ୍ରିୟ ରହୁଥିବାର ଜଣାପଡ଼ିଥିଲା। ଏହା ମଧ୍ୟ ଉଭୟ ସ୍ନାୟୁ କୋଷ ଓ ମସ୍ତିଷ୍କ କୋଷକୁ ପୋଷକ ତତ୍ତ୍ୱ ଯୋଗାଇଥାଏ। ଖଜୁରି ଖାଇବା ଦ୍ୱାରା ଏହା ଗ୍ୟାଷ୍ଟ୍ରିକ ଓ କୋଷ୍ଠକାଠିନ୍ୟ ସମସ୍ୟାକୁ କେତେକାଂଶରେ ଦୂର କରିଥାଏ। ଏଥିରେ ଆଉ ଏକ ଉପକାରୀ ତତ୍ତ୍ୱ ରହିଛି। ତାହା କ’ଣ ଜାଣନ୍ତି? ଏହାକୁ ନିୟମିତ ଖାଇଲେ ତାହା ଅସ୍ଥିକୁ ମଜଭୁତ କରିବାରେ ସାହାଯ୍ୟ କରେ। କେବଳ ସେତିକି ନୁହେଁ, ଓଜନକୁ ନିୟନ୍ତ୍ରଣରେ ରଖିବାରେ ମଧ୍ୟ ସହାୟକ ହୋଇଥାଏ।

Dharitri – Odisha’s No.1 Odia Daily