Categories: ଜାତୀୟ

ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ପ୍ରସ୍ତୁତ ହେଉଛି ଡାଟାବେସ୍‌…

ନୂଆଦିଲ୍ଲୀ, ୨୧।୪ : କେନ୍ଦ୍ରୀୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର କହିଛନ୍ତି ଯେ ବୋମା ବିସ୍ଫୋରଣ, ଆତଙ୍କବାଦୀ ପାଣ୍ଠି, ନକଲି ମୁଦ୍ରା, ନିଶା କାରବାର, ହାୱଲା, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଏବଂ ଆତଙ୍କବାଦକୁ ନେଇ ଆଭ୍ୟନ୍ତରୀଣ ସୁରକ୍ଷା ସହ ଜଡିତ ଏକ ଜାତୀୟ ଡାଟାବେସ ପ୍ରସ୍ତୁତି ପାଇଁ କାର୍ଯ୍ୟ ଜାରି ରହିଛି। ଏହାତଦନ୍ତରେ କେନ୍ଦ୍ରୀୟ ଏଜେନ୍ସି ଏବଂ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ପୋଲିସ ବିଭାଗକୁ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏନଆଇଏ)ର ୧୩ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହା କହିଛନ୍ତି ଯେ ଆତଙ୍କବାଦୀଙ୍କ ତଦନ୍ତରେ ଏହି ଡାଟାବେସ୍‌ ସାହାଯ୍ୟ କରିବ। ଏନଆଇଏ, କେନ୍ଦ୍ରୀୟ ଆତଙ୍କବାଦ ବିରୋଧୀ ଅନୁସନ୍ଧାନ ଏଜେନ୍ସି, ନ୍ୟାସନାଲ ଇଣ୍ଟେଲିଜେନ୍ସ ଗ୍ରୀଡ ଏବଂ ଇଣ୍ଟେଲିଜେନ୍ସ ବୂ୍ୟରୋ ଏହା ଉପରେ କାର୍ଯ୍ୟ କରୁଛନ୍ତି।

ଗତ ୧୩ ବର୍ଷ ମଧ୍ୟରେ ଆତଙ୍କବାଦ ସମ୍ବନ୍ଧୀୟ ମାମଲାରେ ଏହାର ଅନୁସନ୍ଧାନରେ ଉଲ୍ଲେଖନୀୟ ଅବଦାନ ପାଇଁ ଶାହା ଏନଆଇଏକୁ ପ୍ରଶଂସା କରିଛନ୍ତି। ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ୨୦୦୯ରେ ଗଠିତ ଏନ୍‌ଆଇଏ ଦ୍ୱାରା ବିଭିନ୍ନ ମାମଲାରେ ୯୩ ପ୍ରତିଶତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ୨୦୦୯ ଠାରୁ ଏହା ୪୦୦ରୁ ଅଧିକ ମାମଲାର ଅନୁସନ୍ଧାନ କରିଛି ଏବଂ ସେଥିମଧ୍ୟରୁ ପ୍ରାୟ ୩୪୯ ଟି ଚାର୍ଜଶିଟ ଦାଖଲ କରାଯାଇଛି। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ପାଣ୍ଠି ମାମଲାର ଯାଞ୍ଚ ପାଇଁ ଶାହା ଏନଆଇଏକୁ ପ୍ରଶଂସା କରିଛନ୍ତି।

କମ ସମୟ ମଧ୍ୟରେ ଏନ୍‌ଆଇଏ ନିଜକୁ ଏକ ଅନ୍ତର୍ଜାତୀୟ ଏଜେନ୍ସି ଭାବରେ ପ୍ରତିଷ୍ଠିତ କରିଛି ଏବଂ ଆତଙ୍କବାଦ, ଆତଙ୍କବାଦୀ ପାଣ୍ଠି ଏବଂ ମାଓବାଦ ସମ୍ବନ୍ଧୀୟ ମାମଲାର ଯଞ୍ଚ୍‌ ପାଇଁ କଠିନ ପରିଶ୍ରମ କରିଛି । ଶାହା କହିଛନ୍ତି ଯେ ଭାରତକୁ ଆତଙ୍କବାଦମୁକ୍ତ କରିବା ପାଇଁ ସରକାର ସବୁକିଛି କରୁଛନ୍ତି ଏବଂ ଆତଙ୍କବାଦ ମୁକାବିଲା ପାଇଁ ଏନଆଇଏର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଆତଙ୍କବାଦ ବିରୋଧୀ ଅନୁସନ୍ଧାନ ଏଜେନ୍ସି ଏବଂ ୟୁନିଟଗୁଡିକୁ ମାର୍ଗଦର୍ଶନ ଏବଂ ସହାୟତା କରିବାକୁ ସେ ଏନଆଇଏକୁ କହିଛନ୍ତି।

Share