ଫାରୋ ୩-ଡି ସ୍କାନରରେ ତଥ୍ୟ ସଂଗ୍ରହ

କଟକ ଅଫିସ,୧।୨: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ତଦନ୍ତ ଜାରି ରଖିଛି। ଗୁଳିକାଣ୍ଡର ପୂରା ଘଟଣାକ୍ରମକୁ ଟିକିନିଖି ଅନୁଧ୍ୟାନ କରାଯାଉଛି। ଡିଏସ୍‌ପି ରମେଶ ଚନ୍ଦ୍ର ଦୋରା ସାଇଣ୍ଟିଫିକ ଅଧିକାରୀ ଓ ବାଲିଷ୍ଟିକ ବିଶେଷଜ୍ଞଙ୍କ ସହ ଗୁଳିକାଣ୍ଡସ୍ଥଳକୁ ମଙ୍ଗଳବାର ପୁଣି ପରିଦର୍ଶନ କରିଛନ୍ତି। ଘଟଣାସ୍ଥଳରୁ ସୂକ୍ଷ୍ମ ପ୍ରମାଣ ସଂଗ୍ରହ ପାଇଁ ଫାରୋ ୩-ଡି ସ୍କାନରର ସାହାଯ୍ୟ ନିଆଯାଇଛି। ଏହା ମାଧ୍ୟମରେ ଘଟଣାସ୍ଥଳରୁ ଅଧିକ କିଛି ସୁରାକ ପାଇବା ଆଶାରେ କ୍ରାଇମ୍‌ବ୍ରାଞ୍ଚ ଦଳ ସମସ୍ତ ପ୍ରକାର ଉଦ୍ୟମ ଚଳାଇଛନ୍ତି। ଫାରୋ ୩-ଡି ସ୍କାନର ଉପଯୋଗ କରି ୩-ଆର୍‌ ଫର୍ମାଟରେ ଘଟଣାସ୍ଥଳର ପୂରା ତଥ୍ୟ ସଂଗ୍ରହ କରାଯାଇଛି, ଯାହାକି ତଦନ୍ତକାରୀ ଅଧିକାରୀଙ୍କୁ ଗୁଳିକାଣ୍ଡର ସମଗ୍ର ଘଟଣାକ୍ରମ ବୁଝିବାରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ସାଇଣ୍ଟିଫିକ ଅଧିକାରୀ ଓ ବାଲିଷ୍ଟିକ ବିଶେଷଜ୍ଞମାନେ ପ୍ରମାଣ ଓ ସୁରାକ ପାଇବା ନିମନ୍ତେ ମନ୍ତ୍ରୀ ନବ ଦାସ ବ୍ୟବହାର କରିଥିବା ଗାଡ଼ିକୁ ଭଲ ଭାବେ ଯାଞ୍ଚ କରିଛନ୍ତି। ଘଟଣାସ୍ଥଳ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌କୁ ମଧ୍ୟ ଯାଞ୍ଚ କରାଯାଇଛି। ଗୁଳିକାଣ୍ଡ ସ୍ଥଳରୁ ଟିକିନିଖି ତଥ୍ୟ ହାସଲ ସହ ପ୍ରତ୍ୟକ୍ଷଦର୍ଶୀମାନଙ୍କୁ ପଚରାଉଚରା କାର୍ଯ୍ୟ ପର୍ଯ୍ୟାୟ କ୍ରମେ ଜାରି ରହିଛି। ଏହି ଟିମ୍‌କୁ ସହାୟତା କରିବା ପାଇଁ ଡିଏସ୍‌ପି ବାସୁଦେବ ଭୂୟଁାଙ୍କ ନେତୃତ୍ୱରେ ଅନ୍ୟ ଏକ ୮ ଜଣିଆ ଅଧିକାରୀ ଦଳ ଝାରସୁଗୁଡ଼ା ଯାତ୍ରା କରିଛନ୍ତି। ଅଭିଯୁକ୍ତ ଓ ସାକ୍ଷୀମାନଙ୍କୁ ପଚରାଉଚରା ତଥା ତଦନ୍ତ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ କ୍ରାଇମବ୍ରାଞ୍ଚର ସମସ୍ତ ଅଧିକାରୀ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଜଣାଯାଇଛି। କ୍ରାଇମବ୍ରାଞ୍ଚର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ମଧ୍ୟ ଘଟଣାସ୍ଥଳ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ପ୍ରତ୍ୟକ୍ଷ ଭାବେ ତଦନ୍ତ ପ୍ରକ୍ରିୟାକୁ ନିୟନ୍ତ୍ରଣ କରୁଛନ୍ତି। ଅନ୍ୟ ପକ୍ଷରେ ଡିଏସ୍‌ପି ଶିଶିର ମିଶ୍ରଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ଆଉ ଏକ ଦଳ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କ ଗଁାରେ କ୍ୟାମ୍ପ ପକାଇଛନ୍ତି। ସେଠାରେ ଗୋପାଳ ଦାସଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କୁ ପଚରାଉଚରା କରିବା ସହ ଗୋପାଳଙ୍କ ବଡ଼ ଭାଇ ସତ୍ୟନାରାୟଣ ଦାସଙ୍କୁ ଉଠାଇ ନେଇ ପଚରାଉଚରା କରୁଛି