ଓଡ଼ିଶାର ବିସ୍ମୟ ପ୍ରତିଭା ଦାସିଆ ଅଜା

ନୟାଗଡ଼ ଅଫିସ,୧୩।୭: ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ସାରସ୍ବତ ସାଧକ, ନିଷ୍ଠାପର ସାମାଜିକ କର୍ମୀ ଦାସିଆ ଅଜା ଭାବେ ପରିଚିତ ଦାଶରଥି ପଟ୍ଟନାୟକ ଥିଲେ ଓଡ଼ିଶାର ବିସ୍ମୟ ପ୍ରତିଭା। ୯୦ ବର୍ଷ ବୟସରେ ବି ସେ ଖବରକାଗଜ ପଢ଼ୁଥିବା ବେଳେ ନିଜର ସଂଗ୍ରାହକ ବୃତ୍ତି ଜାରି ରଖିଥିଲେ। ୨୭ ବର୍ଷ ତଳର ଏକ ଭିଡିଓ ବଖାଣୁଛି ଦାସିଆ ଅଜାଙ୍କ ସେ ସମୟର ବିରଳ ଦୃଶ୍ୟ। ଏଥିରେ ଜବକାଚ ପକାଇ ସେ ଧରିତ୍ରୀ ପଢ଼ୁଥିବା ବେଳେ ଡାକ ଟିକେଟ ସଂଗ୍ରହ କରୁଥିବାର ଦୃଶ୍ୟ ରହିଛି। ୧୦ ପଇସାର ରାଜା ଦାସିଆ ଅଜା ଥିଲେ ଜଣେ ସାଧାରଣ ମଣିଷ। ତାଙ୍କର ସାଧାରଣ ବେଶ ପୋଷାକ ଦେଖିଲେ କେହି କହିବେନି ସେ ଥିଲେ ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ। ଏହି ମହନୀୟ ବ୍ୟକ୍ତିତ୍ୱ ମୁଠାଏ ମୁଢ଼ି ଓ କପେ ନାଲି ଚା’ରେ ବେଶ ଖୁସି ରହୁଥିଲେ। ଦାସିଆ ଅଜା ବାହାରକୁ ବାହାରିଲେ କାନ୍ଧରେ ଝୁଲାମଣି ସହିତ ହାତରେ ଶୋଭା ପାଉଥିଲା ଠେଙ୍ଗା। ନୟାଗଡ଼ ଜିଲା ନୂଆଗଁା ବ୍ଳକର ଉଦୟପୁର ଗଁାର ଏହି ବ୍ୟକ୍ତିତ୍ୱ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ପୁସ୍ତକ, ପତ୍ରପତ୍ରିକା, ପୋଥି, ବିଭିନ୍ନ ଖବରକାଗଜ, ପୁରୁଣା ଉପକରଣ ସଂଗ୍ରହ କରି ସେ ଉଦୟପୁରରେ ପ୍ରତିଷ୍ଠା କରିଥିଲେ ଏକ ପାଠାଗାର, ସଂଗ୍ରହାଳୟ, ସାହିତ୍ୟ ସଂସଦ ଓ ଗବେଷଣାଗାର। ସେଠାରେ ବିଭିନ୍ନ ଭାଷାର ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ୱ ପୁସ୍ତକ, ପତ୍ର ପତ୍ରିକା, ତାଳପତ୍ର ପୋଥି ଓ ବିଭିନ୍ନ ଦୁର୍ଲଭ ସାମଗ୍ରୀ ରହିଛି। ୧୯୦୭ ଜୁଲାଇ ୧୨ରେ ନୟାଗଡ଼ ଜିଲାରେ ଜନ୍ମ ଗ୍ରହଣ କରିଥିବା ଏହି ମହାନ୍‌ ବ୍ୟକ୍ତିତ୍ୱ ଜିଲା ପାଇଁ ଆଲୋକବର୍ତ୍ତିକା ହୋଇ ରହିଛନ୍ତି। ପ୍ରତିଦିନ ସେ ୧୦୦ରୁ ଊର୍ଦ୍ଧ୍ୱ ପୋଷ୍ଟ କାର୍ଡ ଚିଠି ଲେଖି ବିଭିନ୍ନ ଲୋକଙ୍କ ପାଖକୁ ପଠାଉଥିଲେ। ତାଙ୍କ ହାତ ଲେଖା ଚିଠି ଖଣ୍ଡିକ ଯିଏ ପାଉଥିଲେ ସିଏ ନିଜକୁ ଭାଗ୍ୟବାନ ମଣୁଥିଲେ।