ଦାରିଙ୍ଗବାଡ଼ିରେ ତାପମାତ୍ରା ୩.୫ ଡିଗ୍ରୀ: ଥରୁଛନ୍ତି ଲେକେ

ଦାରିଙ୍ଗବାଡ଼ି,୨୧।୧୨(ଡି.ଏନ୍‌.ଏ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ତୁଷାରପାତ ଅବ୍ୟାହତ ରହିବା ସହ ଶୀତ ଲହରୀ ଜାରି ରହିଛିା ମଙ୍ଗଳବାର ସକାଳ ସୁଦ୍ଧା ପାରଦ ତଳମୁହଁା ହୋଇ ୩.୫ ଡିଗ୍ରୀରେ ପହଞ୍ଚିଛି। ଯାହାକି ସୋମବାର ୪ ଡିଗ୍ରୀ ରହିଥିବା ବେଳେ ରବିବାର ୮.୫ ଡିଗ୍ରୀ ରହିଥିଲା । ଦିନକୁ ଦିନ ପାରଦ ତଳକୁ ଖସୁଥିବା ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର କହିଛନ୍ତି। ଏଥି ସହ କୋହଲା ପବନ ଶୀତକୁ ଦ୍ୱିଗୁଣିତ କରୁଛି। ଦୁଇଦିନ ଧରି ତୁଷାରପାତ ଯୋଗୁ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁଷାରପାତର ଦ୍ୱିତୀୟ ଦିନରେ ବିଭିନ୍ନ ଖୋଲାସ୍ଥାନରେ ରହିଥିବା କାର୍‌ ଛାତ ସହ ଚାଳ ଛପର ଘର ସମେତ ଆଜବେଷ୍ଟସ ଉପରେ ତୁଷାରପାତ ଦେଖିବାକୁ ମିଳିଛି। ବ୍ଲକର ସିମନବାଡ଼ି ସମେତ ଦାରିଙ୍ଗବାଡ଼ି, କିରିକୁଟି, ବାଡାବାଙ୍ଗା, ପର୍ତ୍ତମାହା, ଗ୍ରୀନବାଡ଼ି, ସିଆଙ୍ଗବାଲି, ଭ୍ରମରବାଡ଼ି, ଦାସିଂବାଡ଼ି ଆଦି ପଞ୍ଚାୟତ ଅଞ୍ଚଳରେ ଏହି ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି।