ଦାରିଙ୍ଗବାଡ଼ିରେ ଅସହ୍ୟ ଗରମ, ତାପମାତ୍ରା ୩୬

ଦାରିଙ୍ଗବାଡ଼ି,୨୯।୪(ଡି.ଏନ.ଏ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଏବେ ପ୍ରଚଣ୍ଡ ଖରା ସହ ଗରମ ଗୁଳୁଗୁଳି ଲୋକଙ୍କୁ ଅସହ୍ୟ ଯନ୍ତ୍ରଣା ଦେଲାଣିା ତାପମାତ୍ରା ଯେଉଁଠି ଶୂନ ଡିଗ୍ରୀ ରହୁଥିବା ନଜିର ରହିଛି ଏବେ ସେଇଠି ତାପମାତ୍ରା ୩୬ ଡିଗ୍ରୀ ପର୍ଯ୍ୟନ୍ତ ରହିଛି । ଗୋଟିଏ ପଟେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅଞ୍ଚଳର ୨୫ ପଞ୍ଚାୟତରେ ଜଳସ୍ତର ଦିନକୁ ଦିନ କମିବାରେ ଲାଗିଛି। କେଉଁଠି ନଳକୂପ ଅଚଳ ତ ଆଉ କେଉଁଠି ପାଇପ ଯୋଗେ ଜଳ ଯୋଗାଣ ବନ୍ଦ ରହିଛି। ଗୋଟିଏ ପଟେ ବିଦ୍ୟୁତ୍‌ ବିଭ୍ରାଟ ଏବଂ ଲୋ ଭୋଲଟେଜ ଯୋଗୁ ଜଳ ଯୋଗାଣ ଠିକ୍‌ ଭାବେ ହୋଇପାରୁନାହିଁ। ଫଳରେ ଲୋକେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି। ରାଜପଥ ସଂପ୍ରସାରଣ ପାଇଁ ବଡ଼ ବଡ଼ ଗଛ କଟାଯାଇ ସଫା କରାଗଲା, ଫଳରେ ଗରମର ପ୍ରଭାବ ଦ୍ୱିଗୁଣିତ ହୋଇଛି। ଏଭଳି ଅଞ୍ଚଳର ଗୁମିକିଆ ସମେତ ପର୍ତ୍ତମାହା, ସିମନବାଡ଼ି, ଦାରିଙ୍ଗବାଡ଼ି ବଜାର, ତିଲୋରି, ଭଳି ସମସ୍ତ ପଞ୍ଚାୟତର ଗାଁଗୁଡ଼ିକରେ ଜଳସଙ୍କଟ ଦେଖାଦେଇଛି। ଲୋ ଭୋଲଟେଜରୁ ନିସ୍ତାର ପାଇବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ପଞ୍ଚାୟତକୁ ଉଚ୍ଚକ୍ଷମତା ସମ୍ପନ୍ନ ଷ୍ଟାବିଲାଇଜରକୁ ବ୍ୟବହାର କରି ପାଣି ମୋଟର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିବା ମଧ୍ୟ ଜଣାପଡ଼ିଛି। ସେହିପରି ଜଳ ଅଭାବ ଯୋଗୁ ପନିପରିବା ଚାଷ ମଧ୍ୟ ହୋଇପାରୁନଥିବାରୁ ଏବେ ଗଞ୍ଜାମ ଜିଲା ଉପରେ ନିର୍ଭର କରୁଛି ଦାରିଙ୍ଗବାଡ଼ି ଅଞ୍ଚଳ। ସେହିପରି ବର୍ଷର ଅଧିକାଂଶ ସମୟ ଥଣ୍ଡାରେ ଜୀବନ ବିତୁଥିବା ବେଳେ ଏହି ଏପ୍ରିଲଠାରୁ ଜୁନ ପର୍ଯ୍ୟନ୍ତ ଅସହ୍ୟ ଖରା ଗରମକୁ ସ୍ଥାନୀୟ ଲୋକଙ୍କ ପାଇଁ ବହୁତ କଷ୍ଟ ହୋଇପଡୁଛି। ପ୍ରଚଣ୍ଡ ଖରା ଯୋଗୁ ଲୋକେ ବହାରକୁ କାମଧନ୍ଦା ପାଇଁ ବାହାରିବା ମୁସ୍କିଲ ହୋଇପଡ଼ିଛି। ସେହିପରି ପୋଖରୀ, ଚୁଆଗୁଡ଼ିକରେ ଜଳାଭାବ ଦେଖାଯାଇଥିବାରୁ ଗୃହପାଳିତ ପ୍ରାଣୀ ପାଇର୍ଁ ଜଳକଷ୍ଟ ସର୍ବାଧିକ ହୋଇପଡ଼ିଛି। ସେମାନେ ଜଳ ପାଇଁ ଡହଳବିକଳ ହେବା ସହ ପୋଖରୀ ବଦଳରେ ଯେଉଁଠି ନାଳ ନର୍ଦ୍ଦମାରେ ଜଳ ଦେଖୁଛନ୍ତି ସେଠି ପାଣି ପିଉଛନ୍ତି ଏବଂ ଗରମରୁ ତ୍ରାହି ପାଇଁ ସେଠାରେ ହିଁ ଶୋଇରହୁଛନ୍ତି। ଏ ନେଇ ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ ସମସ୍ତ ପଞ୍ଚାୟତର ପାଇପଯୋଗେ ଜଳଯୋଗାଣ ପାଇଁ ଗୁରୁତ୍ୱ ଦିଆଯିବା ସହ ବକେୟା ବିଦ୍ୟୁତ୍‌ ବିଲ ପୈଠ କରାଯାଉଛି ଯେମିତି କୌଣସି ପମ୍ପ ହାଉସର ବିଦ୍ୟୁତ୍‌ କଟାଯିବ ନାହିଁ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ସେହିପରି ନଳକୂପ ମରାମତି ପାଇଁ ଭ୍ରାମ୍ୟମାଣ ଗାଡ଼ି ବୁଲୁଛି ଏବଂ ମରାମତି କରୁଛି। ଯେଉଁଠି ରାସ୍ତା ସଂପ୍ରସାରଣ ଯୋଗୁ ପାଇପଗୁଡ଼ିକ ଫାଟି ନଷ୍ଟ ହୋଇଛି ଶୀଘ୍ର ତାକୁ ମରାମତି କରାଯିବା ପାଇଁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ନଳକୂପ ଯନ୍ତ୍ରପାତି ଗୁଡ଼ିକ ଆଗୁଆ କିଣାଯାଇ ମହଜୁଦ ରଖାଯାଇଛି ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ପାଇଁ ପ୍ରଶାସନ ପଦକ୍ଷେପ ନେଉଥିବା ସେ କହିଛନ୍ତି।