Categories: ଖେଳ

ଦୁଇ ଭାଗ ହୋଇଛି ଭାରତୀୟ ଡ୍ରେସିଂ ରୁମ୍‌; କୋହଲି- ରାହୁଲଙ୍କୁ ନେଇ ପୂର୍ବ କ୍ରିକେଟର କହିଲେ…

ନୂଆଦିଲ୍ଲୀ,୨୧।୧: ଅନେକ ଥର ଭାରତୀୟ କ୍ରିକେଟ ଦଳ ଦୁଇ ଭାଗ ହୋଇଥିବା ନେଇ ଚର୍ଚ୍ଚା ହୋଇଆସିଛି। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ନେଇ ଏଭଳି ଗୁଜବ ପ୍ରଚାରିତ ହେଉଥିବା ବେଳେ ଏବେ ପୂର୍ବତନ ଅଧିନାୟକ କୋହଲିଙ୍କ ସହ କେ.ଏଲ୍‌ ରାହୁଲଙ୍କ ସମ୍ପର୍କ ଠିକ୍‌ ନ ଥିବା କୁହାଯାଉଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ବିଷୟରେ କଥା ହୋଇ ପାକିସ୍ତାନର ପୂର୍ବ ଲେଗ୍‌ ସ୍ପିନର ଡାନିଶ କାନେରିଆ ଦାବି କରିଛନ୍ତି ଯେ, ଏବେ ଭାରତୀୟ ଟିମ୍‌ ଦୁଇଟି ଦଳରେ ବିଭକ୍ତ ହୋଇସାରିଛି। ଏଥିରୁ ଗୋଟିଏ ଗୋଷ୍ଠୀ କୋହଲି ଏବଂ ଅନ୍ୟଟି ରାହୁଲଙ୍କର।

କାନେରିଆ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ କହିଛନ୍ତି, ଭାରତୀୟ ଡ୍ରେସିଂ ରୁମ୍‌ ଦୁଇଟି ଦଳରେ ବିଭକ୍ତ ହୋଇଥିବା ଆମେ ଦେଖିଛୁ। ରାହୁଲ ଏବଂ କୋହଲି ଅଲଗା ଅଲଗା ବସିଥିଲେ। ଏପରିକି ଅଧିନାୟକ ଭାବେ କୋହଲିଙ୍କୁ ଯେମିତି ଦେଖିଆସିଛୁ, ସେଭଳି ମନୋଭାବରେ ସେ ନ ଥିଲେ। କିନ୍ତୁ ସେ ଜଣେ ଟିମ୍‌ ମ୍ୟାନ୍‌। ଶୀଘ୍ର ସେ ଜବରଦସ୍ତ ପ୍ରଦର୍ଶନ କରିବେ ବୋଲି କାନେରିଆ କହିଛନ୍ତି।

ପ୍ରକାଶ ଯେ, କୋହଲି ନିଜେ ଟି-୨୦ ଫର୍ମାଟର ଅଧିନାୟକତ୍ୱ ଛାଡ଼ିବା ପରେ ଦିନିକିଆ ନେତୃତ୍ୱରୁ ତାଙ୍କୁ ବାହାର କରିଦିଆଯାଇଥିଲା। ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ପରାଜିତ ହେବା ପରେ ସେ ଟେଷ୍ଟ ଅଧିନାୟକତ୍ୱରୁ ଇସ୍ତଫା ଦେଇଥିଲେ। ଦଳରେ ଏବେ ରୋହିତ ଶର୍ମାଙ୍କ ଅନୁପସ୍ଥିତି କାରଣରୁ ରାହୁଲ ଦିନିକିଆର ନେତୃତ୍ୱ ନେଉଛନ୍ତି।

Share