ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଏଭଳି ଏକ ସଙ୍ଗୀନ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡ଼ା ଗ୍ରାମପଞ୍ଚାୟତର କନ୍ଧପଡ଼ାଠାରେ । ପଡ଼ା ମଝିରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରଟି ଦୀର୍ଘ ଦିନ ହେବ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଚାରିପାଖରେ କୌଣସି ତାରବାଡ଼ ବା ସୁରକ୍ଷା ବାଡ଼ ନଥିବା ବେଳେ ୧୧ କେଭି ଓ ଏଲ୍‌ଟି ବିଦ୍ୟୁତ୍ ତାରଗୁଡ଼ିକ ଖୋଲା ମେଲା ଭାବେ ତଳକୁ ଝୁଲି ରହିଛି । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକଙ୍କ ସମେତ ଛୋଟ ଛୋଟ ସ୍କୁଲ ପିଲା ଓ ଗୃହପାଳିତ ପଶୁ ଚଳପ୍ରଚଳ କରୁଛନ୍ତି ।

ଅସାବଧାନତା ବଶତଃ କେହି ଜଣେ ସଂସ୍ପର୍ଶରେ ଆସିଲେ ଏକ ବଡ଼ ଧରଣର ଅଘଟଣ ଘଟିବାର ଭୟ ରହିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବର୍ଷା ଦିନେ ଏଠାରେ ସ୍ଥିତି ଆହୁରି ଭୟଙ୍କର ହୋଇପଡ଼ୁଛି । ଅନେକ ସମୟରେ ତାରରୁ ନିଆଁ ଝୁଲ ବାହାରୁଛି । ଏ ବାବଦରେ ବିଦ୍ୟୁତ୍ ବିଭାଗ (TPWODL) ର କର୍ମଚାରୀ ଓ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବାରମ୍ବାର ଗୁହାରି କରାଯାଇଥିଲେ ସୁଦ୍ଧା କେବଳ ପ୍ରତିଶ୍ରୁତି ଛଡ଼ା କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ।

ବିଭାଗୀୟ ଅବହେଳା ଯୋଗୁଁ ଗ୍ରାମବାସୀ ଏବେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । ଯଥାଶୀଘ୍ର ଏହି ଟ୍ରାନ୍ସଫର୍ମର ଚାରିପାଖରେ ସୁରକ୍ଷା ବାଡ଼ ନିର୍ମାଣ କରିବା ସହ ଝୁଲନ୍ତା ତାରଗୁଡ଼ିକୁ ମରାମତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଯଦି ଶୀଘ୍ର ଏହାର ସମାଧାନ ନହୁଏ, ତେବେ ଆଗାମୀ ଦିନରେ ରାସ୍ତାରୋକ ସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ।

 

Dharitri – Odisha’s No.1 Odia Daily

Share