ବିପଦପୂର୍ଣ୍ଣ ରାସ୍ତା, ଲୋକେ ହଟହଟା: ବୁର୍ଡ଼ା-ଅର୍ଜୁନପୁର ପିଡବ୍ଲ୍ୟୁଡି ରାସ୍ତା କଲଭର୍ଟ ଭୁଶୁଡ଼ି ଗର୍ତ୍ତ

ଲୋଇସିଂହା,୭।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ବୁର୍ଡା ଛକରୁ ଅର୍ଜୁନପୁର ପିଡବ୍ଲୁଡି ରାସ୍ତାର କୁମୁଣ୍ଡେ ଶୁଳିଆ ଛକ ନିକଟ କଲଭର୍ଟ ଭାଙ୍ଗି ଗର୍ତ୍ତ ସୃଷ୍ଟି ହୋଇଛି। ଏହାର ମରାମତି ବଦଳରେ ସେହି କଲଭର୍ଟ ଉପରେ କିଛି କ୍ରଶର ଗୁଣ୍ଡ ପକାଯାଇଛି। ଏପରି ବିପଦସଙ୍କୁଳ ରାସ୍ତା ଦେଇ ନିୟମିତ ଭାବେ ବହୁସଂଖ୍ୟକ ବଡ ବଡ ମାଲ ପରିବହନ ଗାଡି ଏବଂ ଯାତ୍ରୀବାହୀ ଗାଡି ଯାତାୟତ କରୁଛି ାତେବେ ଏହି ସ୍ଥାନରେ ଯେ କୌଣସି ମୁହୂର୍ତ୍ତରେ ବଡ ଧରଣର ଦୁର୍ଘଟଣା ଆଶଙ୍କାକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଲୋଇସିଂହା ଥାନା ବୁର୍ଡା ଛକ ଦେଇ ସୁବର୍ଣ୍ଣପୁର ଜିଲାର ଅର୍ଜୁନପୁର ପର୍ଯ୍ୟନ୍ତ ଏହି ପିଡବ୍ଲୁଡି ରାସ୍ତା ଯାଇଛି। ଏହି ରାସ୍ତା ଖୋର୍ଦ୍ଧା-ବଲାଙ୍ଗୀରର ୫୭ ନଂ ଜାତୀୟ ରାଜପଥକୁ ସଂଯୋଗ କରିଛି। ଏହି ରାସ୍ତା ଭାୟା ସୋନପୁର ଦେଇ ଭୁବନେଶ୍ୱରକୁ ସଂଯୋଗ ଥିବାରୁ ଛତିଶଗଡ ରାଜ୍ୟ ଏବଂ ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳ ସମେତ ସ୍ଥାନୀୟ ଅଞ୍ଚଳର ଲୋକେ ଯିବା ଆସିବା କରିଥାନ୍ତି। ଲୋଇସିଂହା ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳ ଉପରବାହାଲ ଅଞ୍ଚଳରୁ ନିୟମିତ ଭାବେ ପରିବା ଗାଡିଗୁଡିକ ଉକ୍ତ ରାସ୍ତା ଦେଇ ଉପକୂଳ ଅଞ୍ଚଳକୁ ଯାତାୟତ କରିଥାଏ। ଏହାଛଡା ବହୁ ସଂଖ୍ୟକ ମାଲ ପରିବହନ ଗାଡି ଚଳାଚଳ କରୁଛି।
ଲୋଇସିଂହା ସୀମାନ୍ତ ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ କୁମୁଣ୍ଡେ ଶୁଳିଆ ଛକ ପୂର୍ବରୁ ପଡୁଥିବା ଏହି କଲଭର୍ଟ ଦୀର୍ଘଦିନ ହେଲା ଭୁଶୁଡି ପଡିଛି। କଲଭଟ ଭାଙ୍ଗି ଯାଇଥିବାରୁ ସେହି ସ୍ଥାନରେ ୫ ଫୁଟ ଲମ୍ବର ଗର୍ତ୍ତ ସୃଷ୍ଟି ହୋଇଛି। ଏହି ସ୍ଥାନରେ କେହି କ୍ରଶର ଗୁଣ୍ଡ ପକାଇଛନ୍ତି। କିନ୍ତୁ ସମ୍ପୂର୍ଣ୍ଣ ଭାବେ ଗର୍ତ୍ତ ପୋତା ହୋଇନାହିଁ। ଦୂରରୁ ଯାତ୍ରୀଙ୍କୁ ଏହି ଗର୍ତ୍ତ ଦେଖାଯାଉନାହିଁ। ଯେଉଁମାନେ ଏ ନେଇ ଜାଣିଛନ୍ତି ସେମାନେ ଉକ୍ତ କଲଭର୍ଟ ରାସ୍ତା ପାର୍ଶ୍ୱ ଦେଇ ଯିବା ଆସିବା କରୁଛନ୍ତି। କିନ୍ତୁ ଜାଣି ନ ଥିବା ଯାତ୍ରୀମାନେ ଏହି ବିପଦପୂର୍ଣ୍ଣ କଲଭର୍ଟ ଦେଇ ଯାଉଥିବାରୁ ବିପଦ ଆଶଙ୍କା ରହିଛି। ଏହି ରାସ୍ତାରେ ସୁବର୍ଣ୍ଣପୁର ଜିଲାର ଅଧିକାରୀମାନେ ଜିଲା ମୁଖ୍ୟାଳୟକୁ ଯିବା ଆସିବା କରୁଛନ୍ତି। ହେଲେ ଏଥିପ୍ରତି କାହାରି ଦୃଷ୍ଟି ନ ପଡିବା ଅସନ୍ତୋଷର କାରଣ ହୋଇଛି। ଲୋଇସିଂହା ଥାନା ଅନ୍ତର୍ଗତ ଭାଲିଆମୁଣ୍ଡା, ଚୌହାନପାଲି, ଭାଲୁପାଲି ଏବଂ ତରଭା ଥାନା କୁମୁଣ୍ଡେ ଗ୍ରାମବାସୀଙ୍କ ସମେତ ଉଭୟ ଜିଲାବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।

 

Dharitri – Odisha’s No.1 Odia Daily