ବିପନ୍ନ ଗଣତନ୍ତ୍ର ଓ ଉପେକ୍ଷିତ ଜନତା

ଡ. ସିଦ୍ଧାର୍ଥ କାନୁନ୍‌ଗୋ

ଆମେ ଜାଣୁ ଆମ ବକ୍ତବ୍ୟରେ ଦେଶର ଦୁଃଖ ଦୂରହେବ ନାହିଁ; ଅଥବା ଲାଞ୍ଚଖୋର ମଣିଷର ପ୍ରବୃତ୍ତି ବନ୍ଦ ହେବ ନାହିଁ।“ – ଏହା ହେଉଛି ସେତେବେଳର ଯୁବ ଓ ପ୍ରଭାବଶାଳୀ କବି କହ୍ନେୟାଲାଲ ଦାସଙ୍କ ରଚିତ କବିତାର କିୟଦଂଶ। ଇତିମଧ୍ୟରେ ତାଙ୍କ ତିରୋଧାନ ହେବାର ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ଏହି ଦୀର୍ଘ ସମୟ ମଧ୍ୟରେ ବହୁ ଲୋକ ଆସିଛନ୍ତି ଏବଂ ଯାଇଛନ୍ତି; କିନ୍ତୁ କବିତାର ପ୍ରାସଙ୍ଗିକତା ଏବେ ମଧ୍ୟ ଅଛି ବୋଲି ଆମର ମନେହୁଏ।
ଆଜି ଦେଶ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛି। ଏହାକୁ ଆଜାଦୀ କୀ ମହୋତ୍ସବ କୁହାଯାଉଛି। ଏଥିପାଇଁ ବହୁ କାର୍ଯ୍ୟକ୍ରମ ଜାରି ହେଉଛି। କିନ୍ତୁ ଦେଶ ଓ ଜାତିର ଭବିଷ୍ୟତ କଥା ବିଗତ ବର୍ଷଗୁଡ଼ିକରେ ଆମର କାର୍ଯ୍ୟଧାରା ସମୀକ୍ଷା କଲାବେଳେ ମନରେ ଆନନ୍ଦ ପରିବର୍ତ୍ତେ ବିଷାଦ ଆସୁଛି। ଏହି ପ୍ରସଙ୍ଗରେ ବିପ୍ଳବୀ କବି ରବି ସିଂଙ୍କ କବିତାର କିୟଦଂଶ ଆମର ମନେପଡ଼ୁଛି –
”ଯାଦୁଆ ବିକୁଛି ଯାଦୁର ମଲମ,ମଦୁଆ ଧରିଛି ନିଶା ନିବାରଣ ବାନା/ଗଣିକା ବେଶ୍ୟାବୃତ୍ତି ନିରୋଧ ନେତ୍ରୀ,ଉତ୍କଟେ ଗଣତନ୍ତ୍ରେ ଅନାରେ ଅନା।“ ରାଜନେତାଙ୍କଠାରୁ ଆରମ୍ଭ କରି ଅମଲାତନ୍ତ୍ର ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଆମର କଥା ଓ କାର୍ଯ୍ୟରେ ଅସଙ୍ଗତି ଦ୍ୱାରା କଷ୍ଟଲବ୍ଧ ସ୍ବାଧୀନତା ଓ ଗଣତନ୍ତ୍ର ଆଜି ବିପର୍ଯ୍ୟସ୍ତ। ଏହା କାନକୁ ଭଲ ଶୁଭୁ ନ ଥିଲେ ମଧ୍ୟ ବାସ୍ତବତାକୁ ସ୍ବୀକାର କରିବାକୁ ହେବ।
ସେଦିନ ‘ମୋ ସ୍ବପ୍ନର ଭାରତ’ ପରିପ୍ରେକ୍ଷୀରେ ଜାତିର ଜନକ ମହାତ୍ମା ଗାନ୍ଧୀ କହିଥିଲେ, ”ମୁଁ ଏପରି ଏକ ଭାରତବର୍ଷ ଚାହୁଁଛି; ଯେଉଁଥିରେ ସମାଜର ସବୁଠାରୁ ଗରିବ ଲୋକଟିଏ ମଧ୍ୟ ଅନୁଭବ କରିପାରିବ ଯେ ଏ ଦେଶ ଗଠନରେ ତା’ର କିଛି ନିର୍ଦ୍ଦିଷ୍ଟ ଭୂମିକା ଅଛି।“ ମାତ୍ର ଦେଶ ସ୍ବାଧୀନ ହେବାର ଦୀର୍ଘ ସମୟ ମଧ୍ୟରେ ସାଧାରଣ ଲୋକଟିଏ କ’ଣ ଏକଥା ଅନୁଭବ କରିପାରିଲା!
ସେଦିନର ସେ ସ୍ବପ୍ନ ତଥା ଭାବପ୍ରବଣତା ଆଜି ନାହିଁ। ଗଣତନ୍ତ୍ର ମୂଳତତ୍ତ୍ୱଟି ହଜିଯାଇଛି। ‘ସମାନତା’ ଶବ୍ଦଟି କେବଳ ସମ୍ବିଧାନର ମୁଖବନ୍ଧରେ ରହିଗଲା। ୭୫ ବର୍ଷ ମଧ୍ୟରେ ଏହାର ବାସ୍ତବ ପ୍ରୟୋଗ ହୋଇନାହିଁ ବୋଲି ମନେହୁଏ। ଏଠି ୫ ପ୍ରତିଶତ ଲୋକଙ୍କ ହାତରେ ୯୫ ପ୍ରତିଶତ ଲୋକଙ୍କର ଚୁଟି ରହିଛି।
ପରିସଂଖ୍ୟାନ ଦିଆଯାଇ କୁହାଯାଉଛି ଯେ, ପ୍ରଯୁକ୍ତି ବିଦ୍ୟା, ଚିକିତ୍ସା ବିଜ୍ଞାନ ଇତ୍ୟାଦି ଅନେକ କ୍ଷେତ୍ରରେ ଆମେ ଆଗେଇ ଯାଇଛୁ। ସହରର ସ୍ବର୍ଣ୍ଣାଭ ଆଲୋକ ଓ ଚାକଚକ୍ୟ ପରିବେଶକୁ ଦେଖି ଆମେ ଆତ୍ମବିଭୋର। ଟଙ୍କାର ସୁଅ ଛୁଟୁଛି। କିନ୍ତୁ ମୁଦ୍ରାର ବିପରୀତ ପାର୍ଶ୍ୱ ପରି ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ନିଧିବୁଢ଼ାମାନେ ଦୁଇବେଳା ଭାତ ମୁଠାଏ ପାଇପାରୁ ନାହାନ୍ତି। ଯୋଜନା ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଯୋଜନାର ମାତ୍ର ୧୫ ପ୍ରତିଶତ ଅର୍ଥ ଲୋକଙ୍କ ପାଖକୁ ଯାଉଛି ବୋଲି ଯେତେବେଳେ ଖୋଦ୍‌ ପ୍ରଧାନମନ୍ତ୍ରୀ ସ୍ବୀକାର କରନ୍ତି; ସେତେବେଳେ ଏହା କ’ଣ ସ୍ପଷ୍ଟ ହୁଏ ନାହିଁ ଯେ ବାକି ୮୫ ପ୍ରତିଶତ ଅର୍ଥ ବାଟମାରଣା ହେଉଛି? ଶଠ ପ୍ରଶାସକ, ପ୍ରଭାବିତ ନ୍ୟାୟ ବ୍ୟବସ୍ଥା ଓ ଖବରକାଗଜ ତଥା ସୁବିଧାବାଦୀ ବୁଦ୍ଧିଜୀବୀଙ୍କୁ ନେଇ ଆମର ଏଇ ଗଣତନ୍ତ୍ର। ନେତାମାନେ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରର ଦାବି ରଖି ଆମ ଆଗରେ ମାଳମାଳ ସ୍ବପ୍ନର ପସରା ମେଲାଇଥାନ୍ତି।
ମନେରଖିବାକୁ ହେବ ଯେ, ସରକାରୀ ଚାକିରିରେ ଯୋଗଦେବା ପୂର୍ବରୁ ବା ରାଜନୀତି କରିବା ପୂର୍ବରୁ ବ୍ୟକ୍ତିର ରୋଜଗାର କ’ଣ ଥିଲା ଏବଂ ଆଜି ସେ ଯେଉଁ ବିପୁଳ ସମ୍ପତ୍ତିର ମାଲିକ ହୋଇପାରିଛି, ସେସବୁ ଆସିଲା କେଉଁଠୁ? ଲୋକଟିର ଚାଲିଚଳନ, ଆଭିଜାତ୍ୟପୂର୍ଣ୍ଣ ପରିବେଶକୁ ଲକ୍ଷ୍ୟ କଲେ ଯେକୌଣସି ବ୍ୟକ୍ତି ଏକଥା ସ୍ବୀକାର କରିବ ଯେ, ଏସବୁ ଟଙ୍କା (ମନ୍ତ୍ରୀ ବା ସରକାରୀ କର୍ମଚାରୀଙ୍କ ଦରମା ଟଙ୍କା)ରେ ସମ୍ଭବ ନୁହେଁ। ଆଇନକୁ ସତ୍ୟ ଓ ନ୍ୟାୟ ପ୍ରତିଷ୍ଠା ଦିଗରେ ଯେତିକି ବ୍ୟବହାର କରାଯାଏ, ତାକୁ ତା’ର ବିପରୀତ ଦିଗରେ ତତ୍ତୋଧିକ ବ୍ୟବହାର କରାଯାଏ। ଏହା ହିଁ ହେଉଛି ଆମ ଗଣତନ୍ତ୍ରର ଦୁର୍ବଳ ଦିଗ। ସମସ୍ତେ ଜାଣୁଥିଲେ ମଧ୍ୟ ଆଇନର ଗଳିଆ ବାଟଦେଇ ଦିନ ଦ୍ୱିପ୍ରହରରେ ଅନୈତିକ କାର୍ଯ୍ୟ କରୁଥିବା ଲୋକଟି ସହଜରେ ଖସି ଯାଉଛି। ଏଣେ କାରଣ ଯାହା ହୋଇଥାଉନା କାହିଁକି ବିଭିନ୍ନ ନ୍ୟାୟାଳୟରେ ଲକ୍ଷାଧିକ ମାମଲା ଫଇସଲା ନ ହୋଇ ଦୀର୍ଘଦିନ ଧରି ପଡ଼ିରହୁଛି। ଏକଥା ଆମକୁ ମନେରଖିବାକୁ ହେବ ଯେ, ‘ବିଳମ୍ବିତ ନ୍ୟାୟ – ନ୍ୟାୟ ନୁହେଁ।’
ଖବରକାଗଜ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ପ୍ରେସ୍‌ ସ୍ବାଧୀନତା କିପରି ବିପନ୍ନ; ତାହା ପ୍ରେସ୍‌ କାଉନ୍‌ସିଲ୍‌ ଦେଇଥିବା ବିବୃତିରୁ ଜଣାପଡ଼େ। ବହୁ କ୍ଷେତ୍ରରେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସେ ନାହିଁ ଏବଂ ଅନ୍ୟ କିଛି କ୍ଷେତ୍ରରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରି ଅତିରଞ୍ଜିତ ତଥ୍ୟ ପ୍ରକାଶ ପାଏ। ବର୍ତ୍ତମାନ ସରକାର ବ୍ୟକ୍ତିର ବାକ୍‌ ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇଛନ୍ତି। ସରକାରଙ୍କ କାର୍ଯ୍ୟଶୈଳୀକୁ ନିନ୍ଦା କଲେ ବିଭିନ୍ନ ଦଫା ଲଗାଇ ଲୋକଙ୍କୁ ହଇରାଣ କରାଯାଉଛି। ଗଣତାନ୍ତ୍ରିକ ଉଦାରବାଦ ନାମରେ ଦୁର୍ନୀତି, ଭ୍ରଷ୍ଟାଚାର ତଥା ପ୍ରିୟାପ୍ରୀତି ତୋଷଣର ଯେଉଁ ବିରାଟ ସୌଧ ସୃଷ୍ଟି ହେଲାଣି; ତାହା ଚିନ୍ତାର ବିଷୟ। ଏଠି ଲୋକ ବ୍ୟାଙ୍କରୁ ଋଣ ନେଇ ଫେରାଇବେ ନାହିଁ; ଅଥଚ ରାଜନୈତିକ ଦଳମାନେ ନିର୍ବାଚନ ବେଳେ ଭୋଟରଙ୍କୁ ଆପଣେଇବା ପାଇଁ ଋଣଛାଡ଼ର ପ୍ରତିଶ୍ରୁତି ଦେବେ। ଛତା, ଜୋତା, କମ୍ବଳ ଏପରି କି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବହୁ ଯୋଜନା ଲୋକଙ୍କ ପାଇଁ ଭୋଟ ହାତେଇବା ଉଦ୍ଦେଶ୍ୟରେ ଖଞ୍ଜାଯାଇଛି। ଦେଶର ପ୍ରାୟ ସବୁ ରାଜ୍ୟକୁ ଏ ରୋଗ ବ୍ୟାପିଲାଣି।
ଲୋକ ସଭା, ରାଜ୍ୟ ସଭା ଏବଂ ବିଧାନସଭାରେ ନିର୍ବାଚିତ ପ୍ରତିନିଧିଙ୍କ ଆଚରଣ ଦେଖି ଆମକୁ ଦୁଃଖ ଆସେ। ଗୃହ ଅଚଳ ହୋଇଯାଇଛି। ପ୍ଲାକାର୍ଡ ଯୁଦ୍ଧ, ଘଣ୍ଟବାଡ଼ିଆ ଏବଂ ଧାରଣାରେ ବସିଥିବା ବେଳେ ଗୋଟେ ଗୋଟେ ଦିନର ଅଧିବେଶନ ସରିଯାଉଛି। ଗୃହକୁ କିପରି ସ୍ବାଭାବିକ ଅବସ୍ଥାକୁ ଆଣି ଆଲୋଚନା କରିବାକୁ ହେବ ସେ ଦିଗରେ ଉଭୟ ବିରୋଧୀ ଓ ସରକାରୀ ଦଳ କେହି ସଚେତନ ନୁହନ୍ତି। ସେମାନଙ୍କର ଭତ୍ତା, ପେନ୍‌ସନ୍‌ ଇତ୍ୟାଦି କିଛି ଊଣା ପଡ଼ିବ ନାହିଁ। ସାଧାରଣ ଜନତା କେବଳ ଏମାନଙ୍କୁ ଚାହିଁ ଭକୁଆ ହେବା ଛଡ଼ା କିଛି ନାହିଁ।
ବିଧାନସଭା ବସିଲେ ଅନେକ ସମସ୍ୟା ସମାଧାନ ହୋଇଯିବ ବୋଲି ସମସ୍ତେ ଆଶା କରନ୍ତି। ବିଧାୟକମାନେ ପଚାରୁଥିବା ପ୍ରଶ୍ନର ଉତ୍ତର ମନ୍ତ୍ରୀ ରଖିବା ଦ୍ୱାରା ଶାସନ କଳ କର୍ମାଭିମୁଖୀ ହୁଏ ବୋଲି ଆମେ ଜାଣୁ। ସମସ୍ତଙ୍କ ଧାରଣା ଯେ ଜଣେ ବିଧାୟକ ପ୍ରଶ୍ନଟିଏ ପଚାରିଦେଲେ, ସେହି ମାଡ଼ରେ ମନ୍ତ୍ରୀ ଉତ୍ତର ରଖିବେ ଏବଂ ତାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଶାସନ କଳ କର୍ମତପତ୍ର ହୋଇଉଠିବ। ମାତ୍ର ଏସବୁ ତତ୍ତ୍ୱର କଥା। ବର୍ତ୍ତମାନ ବିଧାନସଭାରେ ପଚରାଯାଉଥିବା ପ୍ରଶ୍ନ ପାଇଁ ମନ୍ତ୍ରୀ ବ୍ୟସ୍ତ ବା ବିବ୍ରତ ହେଉନାହାନ୍ତି ଏବଂ ଶାସନ କଳ ଉତ୍ତର ପ୍ରସ୍ତୁତି କରିବା ପାଇଁ ସେପରି ତପତ୍ରତା ଦେଖାଉନାହାନ୍ତି। ଏହା ଦ୍ୱାରା ମନ୍ତ୍ରୀ ଏବଂ ଶାସନପାଳିକା ଦାୟିତ୍ୱମୁକ୍ତ। ତେଣେ ଲୋକମାନେ ଚୁଲିକୁ ଯାଆନ୍ତୁ; ଏଥିପାଇଁ କାହାର ନିଘା ନାହିଁ। ଆମ ଅମଲାତନ୍ତ୍ରର ନାଲିଫିତା ତଳେ ବହୁ କଥା ରହିଯାଉଛି; ମନ୍ତ୍ରୀ ବା ବିଧାୟକ ଚାହିଁଲେ ତାହା ବାହାରକୁ ବାହାରିବା ସମ୍ଭବ ହେଉନାହିଁ।
ଗଣତନ୍ତ୍ରକୁ ରାଷ୍ଟ୍ର ଶାସନର ମୌଳିକ ଉପାଦାନ ରୂପେ ଗଣନା କରାଯାଉଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଏହା ଏକ ପ୍ରହସନରେ ପରିଣତ ହୋଇଛି। କ୍ଷମତାକୁ ଆସିବା ପାଇଁ ରାଜନୈତିକ ନେତାମାନେ ଲମ୍ବା ଲମ୍ବା ପ୍ରତିଶ୍ରୁତି ଦିଅନ୍ତି। ଭୋଟ୍‌ ଖଣ୍ଡେ ପାଇବା ପାଇଁ ଏମାନେ କେତେ କାକୁତି ମିନତି ହୁଅନ୍ତି। ଭୋଟ ସରିଗଲେ ଏମାନଙ୍କ ଅସଲ ଚେହେରା ଜଣାପଡ଼େ। ଦେଶ ସେବାର ଖୋଳପା ଭିତରେ ଏମାନେ ଆତ୍ମସେବାରେ ନିମଗ୍ନ ହୁଅନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ଦାୟିତ୍ୱ ଗ୍ରହଣ କରି ଆମର ନେତାମାନେ ଉତ୍ତରଦାୟୀ ନୁହନ୍ତି। ଏଥିପାଇଁ ପ୍ରଶାସନ ଆଜି ରୁଗ୍‌ଣ, ଦିଗଭ୍ରଷ୍ଟ। ଗଣତନ୍ତ୍ର ଶାସନରେ ଆମର ରାଜା ହେଉଛନ୍ତି ଆମର ଲୋକପ୍ରତିନିଧି। ସେମାନେ ହୋଇପାରନ୍ତି ଏମ୍‌ପି, ଏମ୍‌ଏଲ୍‌ଏ କିମ୍ବା ସରପଞ୍ଚ ଅଥବା ମୁନିସିପାଲିଟିର ୱାର୍ଡମେମ୍ବର। ସେମାନଙ୍କୁ ବାଜାବଜାଇ ଶଙ୍ଖଧ୍ୱନି ଓ ଫୁଲମାଳ ମଧ୍ୟରେ ଆମେ ସ୍ବାଗତ କରୁ। ଏହି ରାଜ ଅଭିଳାଷ ମଧ୍ୟରେ ଜନ୍ମ ନିଏ ଆଞ୍ଚଳିକତାବାଦ ଏବଂ ବିଚ୍ଛିନ୍ନତାବାଦ। ଗଣତାନ୍ତ୍ରିକ ରାଷ୍ଟ୍ରରେ ସବୁ ରାଜ୍ୟ କେନ୍ଦ୍ରଠାରୁ ସମାନ ନ୍ୟାୟ ପାଇବା କଥା। ମାତ୍ର ବାସ୍ତବରେ ହେଉଛି କ’ଣ? ଓଡ଼ିଶା, ବିହାର ଆଦି ଅନେକ ରାଜ୍ୟ ଅବହେଳିତ।
ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଅନୁଶାସନ ପ୍ରତି ଶାସକଙ୍କର ଯେଉଁ ଦାୟିତ୍ୱବୋଧ ରହିବା କଥା ତାହା ଦେଖିବାକୁ ମିଳୁନାହିଁ। ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ଖାଲି ଭାଷଣ ଦ୍ୱାରା ସମ୍ଭବ ନୁହେଁ। ଏଥିପାଇଁ ଆତ୍ମସମୀକ୍ଷା ଆବଶ୍ୟକ। ଲୋକଚରିତ୍ରରେ ଅନୁଶାସନ ଓ ଶାସକର ଆଭିମୁଖ୍ୟ ନୀତିରେ ଗଣତାନ୍ତ୍ରିକ ଜୀବନ ଧାରାର ପ୍ରତିଫଳନ ଦ୍ୱାରା ହିଁ ବାସ୍ତବ ଗଣତନ୍ତ୍ର ପ୍ରତିଷ୍ଠିତ ହୋଇପାରିବ – ଅନ୍ୟଥା ନୁହେଁ। ବୌଦ୍ଧିକ ସ୍ତରରେ ଆତ୍ମସଚେତନତା ଓ ଆତ୍ମ ସମୀକ୍ଷଣ ଦ୍ୱାରା ଆମ ବ୍ୟବସ୍ଥାର ଚରିତ୍ରଗତ ତ୍ରୁଟି ଓ ଦୁର୍ବଳତାର ସଂଶୋଧନ ହେବା ଏକାନ୍ତ ଆବଶ୍ୟକ।
ସେବାନିବୃତ ଅତିରିକ୍ତ ଶାସନ ସଚିବ, ଓଡ଼ିଶା ସରକାର
ଚୈତନ୍ୟ ଧାମ, ଶବର ସାହି, ଭୁବନେଶ୍ୱର
ମୋ.:୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri