ବିପନ୍ନ ଗଣତନ୍ତ୍ର ଓ ଉପେକ୍ଷିତ ଜନତା

ଡ. ସିଦ୍ଧାର୍ଥ କାନୁନ୍‌ଗୋ

ଆମେ ଜାଣୁ ଆମ ବକ୍ତବ୍ୟରେ ଦେଶର ଦୁଃଖ ଦୂରହେବ ନାହିଁ; ଅଥବା ଲାଞ୍ଚଖୋର ମଣିଷର ପ୍ରବୃତ୍ତି ବନ୍ଦ ହେବ ନାହିଁ।“ – ଏହା ହେଉଛି ସେତେବେଳର ଯୁବ ଓ ପ୍ରଭାବଶାଳୀ କବି କହ୍ନେୟାଲାଲ ଦାସଙ୍କ ରଚିତ କବିତାର କିୟଦଂଶ। ଇତିମଧ୍ୟରେ ତାଙ୍କ ତିରୋଧାନ ହେବାର ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ଏହି ଦୀର୍ଘ ସମୟ ମଧ୍ୟରେ ବହୁ ଲୋକ ଆସିଛନ୍ତି ଏବଂ ଯାଇଛନ୍ତି; କିନ୍ତୁ କବିତାର ପ୍ରାସଙ୍ଗିକତା ଏବେ ମଧ୍ୟ ଅଛି ବୋଲି ଆମର ମନେହୁଏ।
ଆଜି ଦେଶ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛି। ଏହାକୁ ଆଜାଦୀ କୀ ମହୋତ୍ସବ କୁହାଯାଉଛି। ଏଥିପାଇଁ ବହୁ କାର୍ଯ୍ୟକ୍ରମ ଜାରି ହେଉଛି। କିନ୍ତୁ ଦେଶ ଓ ଜାତିର ଭବିଷ୍ୟତ କଥା ବିଗତ ବର୍ଷଗୁଡ଼ିକରେ ଆମର କାର୍ଯ୍ୟଧାରା ସମୀକ୍ଷା କଲାବେଳେ ମନରେ ଆନନ୍ଦ ପରିବର୍ତ୍ତେ ବିଷାଦ ଆସୁଛି। ଏହି ପ୍ରସଙ୍ଗରେ ବିପ୍ଳବୀ କବି ରବି ସିଂଙ୍କ କବିତାର କିୟଦଂଶ ଆମର ମନେପଡ଼ୁଛି –
”ଯାଦୁଆ ବିକୁଛି ଯାଦୁର ମଲମ,ମଦୁଆ ଧରିଛି ନିଶା ନିବାରଣ ବାନା/ଗଣିକା ବେଶ୍ୟାବୃତ୍ତି ନିରୋଧ ନେତ୍ରୀ,ଉତ୍କଟେ ଗଣତନ୍ତ୍ରେ ଅନାରେ ଅନା।“ ରାଜନେତାଙ୍କଠାରୁ ଆରମ୍ଭ କରି ଅମଲାତନ୍ତ୍ର ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଆମର କଥା ଓ କାର୍ଯ୍ୟରେ ଅସଙ୍ଗତି ଦ୍ୱାରା କଷ୍ଟଲବ୍ଧ ସ୍ବାଧୀନତା ଓ ଗଣତନ୍ତ୍ର ଆଜି ବିପର୍ଯ୍ୟସ୍ତ। ଏହା କାନକୁ ଭଲ ଶୁଭୁ ନ ଥିଲେ ମଧ୍ୟ ବାସ୍ତବତାକୁ ସ୍ବୀକାର କରିବାକୁ ହେବ।
ସେଦିନ ‘ମୋ ସ୍ବପ୍ନର ଭାରତ’ ପରିପ୍ରେକ୍ଷୀରେ ଜାତିର ଜନକ ମହାତ୍ମା ଗାନ୍ଧୀ କହିଥିଲେ, ”ମୁଁ ଏପରି ଏକ ଭାରତବର୍ଷ ଚାହୁଁଛି; ଯେଉଁଥିରେ ସମାଜର ସବୁଠାରୁ ଗରିବ ଲୋକଟିଏ ମଧ୍ୟ ଅନୁଭବ କରିପାରିବ ଯେ ଏ ଦେଶ ଗଠନରେ ତା’ର କିଛି ନିର୍ଦ୍ଦିଷ୍ଟ ଭୂମିକା ଅଛି।“ ମାତ୍ର ଦେଶ ସ୍ବାଧୀନ ହେବାର ଦୀର୍ଘ ସମୟ ମଧ୍ୟରେ ସାଧାରଣ ଲୋକଟିଏ କ’ଣ ଏକଥା ଅନୁଭବ କରିପାରିଲା!
ସେଦିନର ସେ ସ୍ବପ୍ନ ତଥା ଭାବପ୍ରବଣତା ଆଜି ନାହିଁ। ଗଣତନ୍ତ୍ର ମୂଳତତ୍ତ୍ୱଟି ହଜିଯାଇଛି। ‘ସମାନତା’ ଶବ୍ଦଟି କେବଳ ସମ୍ବିଧାନର ମୁଖବନ୍ଧରେ ରହିଗଲା। ୭୫ ବର୍ଷ ମଧ୍ୟରେ ଏହାର ବାସ୍ତବ ପ୍ରୟୋଗ ହୋଇନାହିଁ ବୋଲି ମନେହୁଏ। ଏଠି ୫ ପ୍ରତିଶତ ଲୋକଙ୍କ ହାତରେ ୯୫ ପ୍ରତିଶତ ଲୋକଙ୍କର ଚୁଟି ରହିଛି।
ପରିସଂଖ୍ୟାନ ଦିଆଯାଇ କୁହାଯାଉଛି ଯେ, ପ୍ରଯୁକ୍ତି ବିଦ୍ୟା, ଚିକିତ୍ସା ବିଜ୍ଞାନ ଇତ୍ୟାଦି ଅନେକ କ୍ଷେତ୍ରରେ ଆମେ ଆଗେଇ ଯାଇଛୁ। ସହରର ସ୍ବର୍ଣ୍ଣାଭ ଆଲୋକ ଓ ଚାକଚକ୍ୟ ପରିବେଶକୁ ଦେଖି ଆମେ ଆତ୍ମବିଭୋର। ଟଙ୍କାର ସୁଅ ଛୁଟୁଛି। କିନ୍ତୁ ମୁଦ୍ରାର ବିପରୀତ ପାର୍ଶ୍ୱ ପରି ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ନିଧିବୁଢ଼ାମାନେ ଦୁଇବେଳା ଭାତ ମୁଠାଏ ପାଇପାରୁ ନାହାନ୍ତି। ଯୋଜନା ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଯୋଜନାର ମାତ୍ର ୧୫ ପ୍ରତିଶତ ଅର୍ଥ ଲୋକଙ୍କ ପାଖକୁ ଯାଉଛି ବୋଲି ଯେତେବେଳେ ଖୋଦ୍‌ ପ୍ରଧାନମନ୍ତ୍ରୀ ସ୍ବୀକାର କରନ୍ତି; ସେତେବେଳେ ଏହା କ’ଣ ସ୍ପଷ୍ଟ ହୁଏ ନାହିଁ ଯେ ବାକି ୮୫ ପ୍ରତିଶତ ଅର୍ଥ ବାଟମାରଣା ହେଉଛି? ଶଠ ପ୍ରଶାସକ, ପ୍ରଭାବିତ ନ୍ୟାୟ ବ୍ୟବସ୍ଥା ଓ ଖବରକାଗଜ ତଥା ସୁବିଧାବାଦୀ ବୁଦ୍ଧିଜୀବୀଙ୍କୁ ନେଇ ଆମର ଏଇ ଗଣତନ୍ତ୍ର। ନେତାମାନେ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରର ଦାବି ରଖି ଆମ ଆଗରେ ମାଳମାଳ ସ୍ବପ୍ନର ପସରା ମେଲାଇଥାନ୍ତି।
ମନେରଖିବାକୁ ହେବ ଯେ, ସରକାରୀ ଚାକିରିରେ ଯୋଗଦେବା ପୂର୍ବରୁ ବା ରାଜନୀତି କରିବା ପୂର୍ବରୁ ବ୍ୟକ୍ତିର ରୋଜଗାର କ’ଣ ଥିଲା ଏବଂ ଆଜି ସେ ଯେଉଁ ବିପୁଳ ସମ୍ପତ୍ତିର ମାଲିକ ହୋଇପାରିଛି, ସେସବୁ ଆସିଲା କେଉଁଠୁ? ଲୋକଟିର ଚାଲିଚଳନ, ଆଭିଜାତ୍ୟପୂର୍ଣ୍ଣ ପରିବେଶକୁ ଲକ୍ଷ୍ୟ କଲେ ଯେକୌଣସି ବ୍ୟକ୍ତି ଏକଥା ସ୍ବୀକାର କରିବ ଯେ, ଏସବୁ ଟଙ୍କା (ମନ୍ତ୍ରୀ ବା ସରକାରୀ କର୍ମଚାରୀଙ୍କ ଦରମା ଟଙ୍କା)ରେ ସମ୍ଭବ ନୁହେଁ। ଆଇନକୁ ସତ୍ୟ ଓ ନ୍ୟାୟ ପ୍ରତିଷ୍ଠା ଦିଗରେ ଯେତିକି ବ୍ୟବହାର କରାଯାଏ, ତାକୁ ତା’ର ବିପରୀତ ଦିଗରେ ତତ୍ତୋଧିକ ବ୍ୟବହାର କରାଯାଏ। ଏହା ହିଁ ହେଉଛି ଆମ ଗଣତନ୍ତ୍ରର ଦୁର୍ବଳ ଦିଗ। ସମସ୍ତେ ଜାଣୁଥିଲେ ମଧ୍ୟ ଆଇନର ଗଳିଆ ବାଟଦେଇ ଦିନ ଦ୍ୱିପ୍ରହରରେ ଅନୈତିକ କାର୍ଯ୍ୟ କରୁଥିବା ଲୋକଟି ସହଜରେ ଖସି ଯାଉଛି। ଏଣେ କାରଣ ଯାହା ହୋଇଥାଉନା କାହିଁକି ବିଭିନ୍ନ ନ୍ୟାୟାଳୟରେ ଲକ୍ଷାଧିକ ମାମଲା ଫଇସଲା ନ ହୋଇ ଦୀର୍ଘଦିନ ଧରି ପଡ଼ିରହୁଛି। ଏକଥା ଆମକୁ ମନେରଖିବାକୁ ହେବ ଯେ, ‘ବିଳମ୍ବିତ ନ୍ୟାୟ – ନ୍ୟାୟ ନୁହେଁ।’
ଖବରକାଗଜ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ପ୍ରେସ୍‌ ସ୍ବାଧୀନତା କିପରି ବିପନ୍ନ; ତାହା ପ୍ରେସ୍‌ କାଉନ୍‌ସିଲ୍‌ ଦେଇଥିବା ବିବୃତିରୁ ଜଣାପଡ଼େ। ବହୁ କ୍ଷେତ୍ରରେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସେ ନାହିଁ ଏବଂ ଅନ୍ୟ କିଛି କ୍ଷେତ୍ରରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରି ଅତିରଞ୍ଜିତ ତଥ୍ୟ ପ୍ରକାଶ ପାଏ। ବର୍ତ୍ତମାନ ସରକାର ବ୍ୟକ୍ତିର ବାକ୍‌ ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇଛନ୍ତି। ସରକାରଙ୍କ କାର୍ଯ୍ୟଶୈଳୀକୁ ନିନ୍ଦା କଲେ ବିଭିନ୍ନ ଦଫା ଲଗାଇ ଲୋକଙ୍କୁ ହଇରାଣ କରାଯାଉଛି। ଗଣତାନ୍ତ୍ରିକ ଉଦାରବାଦ ନାମରେ ଦୁର୍ନୀତି, ଭ୍ରଷ୍ଟାଚାର ତଥା ପ୍ରିୟାପ୍ରୀତି ତୋଷଣର ଯେଉଁ ବିରାଟ ସୌଧ ସୃଷ୍ଟି ହେଲାଣି; ତାହା ଚିନ୍ତାର ବିଷୟ। ଏଠି ଲୋକ ବ୍ୟାଙ୍କରୁ ଋଣ ନେଇ ଫେରାଇବେ ନାହିଁ; ଅଥଚ ରାଜନୈତିକ ଦଳମାନେ ନିର୍ବାଚନ ବେଳେ ଭୋଟରଙ୍କୁ ଆପଣେଇବା ପାଇଁ ଋଣଛାଡ଼ର ପ୍ରତିଶ୍ରୁତି ଦେବେ। ଛତା, ଜୋତା, କମ୍ବଳ ଏପରି କି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବହୁ ଯୋଜନା ଲୋକଙ୍କ ପାଇଁ ଭୋଟ ହାତେଇବା ଉଦ୍ଦେଶ୍ୟରେ ଖଞ୍ଜାଯାଇଛି। ଦେଶର ପ୍ରାୟ ସବୁ ରାଜ୍ୟକୁ ଏ ରୋଗ ବ୍ୟାପିଲାଣି।
ଲୋକ ସଭା, ରାଜ୍ୟ ସଭା ଏବଂ ବିଧାନସଭାରେ ନିର୍ବାଚିତ ପ୍ରତିନିଧିଙ୍କ ଆଚରଣ ଦେଖି ଆମକୁ ଦୁଃଖ ଆସେ। ଗୃହ ଅଚଳ ହୋଇଯାଇଛି। ପ୍ଲାକାର୍ଡ ଯୁଦ୍ଧ, ଘଣ୍ଟବାଡ଼ିଆ ଏବଂ ଧାରଣାରେ ବସିଥିବା ବେଳେ ଗୋଟେ ଗୋଟେ ଦିନର ଅଧିବେଶନ ସରିଯାଉଛି। ଗୃହକୁ କିପରି ସ୍ବାଭାବିକ ଅବସ୍ଥାକୁ ଆଣି ଆଲୋଚନା କରିବାକୁ ହେବ ସେ ଦିଗରେ ଉଭୟ ବିରୋଧୀ ଓ ସରକାରୀ ଦଳ କେହି ସଚେତନ ନୁହନ୍ତି। ସେମାନଙ୍କର ଭତ୍ତା, ପେନ୍‌ସନ୍‌ ଇତ୍ୟାଦି କିଛି ଊଣା ପଡ଼ିବ ନାହିଁ। ସାଧାରଣ ଜନତା କେବଳ ଏମାନଙ୍କୁ ଚାହିଁ ଭକୁଆ ହେବା ଛଡ଼ା କିଛି ନାହିଁ।
ବିଧାନସଭା ବସିଲେ ଅନେକ ସମସ୍ୟା ସମାଧାନ ହୋଇଯିବ ବୋଲି ସମସ୍ତେ ଆଶା କରନ୍ତି। ବିଧାୟକମାନେ ପଚାରୁଥିବା ପ୍ରଶ୍ନର ଉତ୍ତର ମନ୍ତ୍ରୀ ରଖିବା ଦ୍ୱାରା ଶାସନ କଳ କର୍ମାଭିମୁଖୀ ହୁଏ ବୋଲି ଆମେ ଜାଣୁ। ସମସ୍ତଙ୍କ ଧାରଣା ଯେ ଜଣେ ବିଧାୟକ ପ୍ରଶ୍ନଟିଏ ପଚାରିଦେଲେ, ସେହି ମାଡ଼ରେ ମନ୍ତ୍ରୀ ଉତ୍ତର ରଖିବେ ଏବଂ ତାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଶାସନ କଳ କର୍ମତପତ୍ର ହୋଇଉଠିବ। ମାତ୍ର ଏସବୁ ତତ୍ତ୍ୱର କଥା। ବର୍ତ୍ତମାନ ବିଧାନସଭାରେ ପଚରାଯାଉଥିବା ପ୍ରଶ୍ନ ପାଇଁ ମନ୍ତ୍ରୀ ବ୍ୟସ୍ତ ବା ବିବ୍ରତ ହେଉନାହାନ୍ତି ଏବଂ ଶାସନ କଳ ଉତ୍ତର ପ୍ରସ୍ତୁତି କରିବା ପାଇଁ ସେପରି ତପତ୍ରତା ଦେଖାଉନାହାନ୍ତି। ଏହା ଦ୍ୱାରା ମନ୍ତ୍ରୀ ଏବଂ ଶାସନପାଳିକା ଦାୟିତ୍ୱମୁକ୍ତ। ତେଣେ ଲୋକମାନେ ଚୁଲିକୁ ଯାଆନ୍ତୁ; ଏଥିପାଇଁ କାହାର ନିଘା ନାହିଁ। ଆମ ଅମଲାତନ୍ତ୍ରର ନାଲିଫିତା ତଳେ ବହୁ କଥା ରହିଯାଉଛି; ମନ୍ତ୍ରୀ ବା ବିଧାୟକ ଚାହିଁଲେ ତାହା ବାହାରକୁ ବାହାରିବା ସମ୍ଭବ ହେଉନାହିଁ।
ଗଣତନ୍ତ୍ରକୁ ରାଷ୍ଟ୍ର ଶାସନର ମୌଳିକ ଉପାଦାନ ରୂପେ ଗଣନା କରାଯାଉଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଏହା ଏକ ପ୍ରହସନରେ ପରିଣତ ହୋଇଛି। କ୍ଷମତାକୁ ଆସିବା ପାଇଁ ରାଜନୈତିକ ନେତାମାନେ ଲମ୍ବା ଲମ୍ବା ପ୍ରତିଶ୍ରୁତି ଦିଅନ୍ତି। ଭୋଟ୍‌ ଖଣ୍ଡେ ପାଇବା ପାଇଁ ଏମାନେ କେତେ କାକୁତି ମିନତି ହୁଅନ୍ତି। ଭୋଟ ସରିଗଲେ ଏମାନଙ୍କ ଅସଲ ଚେହେରା ଜଣାପଡ଼େ। ଦେଶ ସେବାର ଖୋଳପା ଭିତରେ ଏମାନେ ଆତ୍ମସେବାରେ ନିମଗ୍ନ ହୁଅନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ଦାୟିତ୍ୱ ଗ୍ରହଣ କରି ଆମର ନେତାମାନେ ଉତ୍ତରଦାୟୀ ନୁହନ୍ତି। ଏଥିପାଇଁ ପ୍ରଶାସନ ଆଜି ରୁଗ୍‌ଣ, ଦିଗଭ୍ରଷ୍ଟ। ଗଣତନ୍ତ୍ର ଶାସନରେ ଆମର ରାଜା ହେଉଛନ୍ତି ଆମର ଲୋକପ୍ରତିନିଧି। ସେମାନେ ହୋଇପାରନ୍ତି ଏମ୍‌ପି, ଏମ୍‌ଏଲ୍‌ଏ କିମ୍ବା ସରପଞ୍ଚ ଅଥବା ମୁନିସିପାଲିଟିର ୱାର୍ଡମେମ୍ବର। ସେମାନଙ୍କୁ ବାଜାବଜାଇ ଶଙ୍ଖଧ୍ୱନି ଓ ଫୁଲମାଳ ମଧ୍ୟରେ ଆମେ ସ୍ବାଗତ କରୁ। ଏହି ରାଜ ଅଭିଳାଷ ମଧ୍ୟରେ ଜନ୍ମ ନିଏ ଆଞ୍ଚଳିକତାବାଦ ଏବଂ ବିଚ୍ଛିନ୍ନତାବାଦ। ଗଣତାନ୍ତ୍ରିକ ରାଷ୍ଟ୍ରରେ ସବୁ ରାଜ୍ୟ କେନ୍ଦ୍ରଠାରୁ ସମାନ ନ୍ୟାୟ ପାଇବା କଥା। ମାତ୍ର ବାସ୍ତବରେ ହେଉଛି କ’ଣ? ଓଡ଼ିଶା, ବିହାର ଆଦି ଅନେକ ରାଜ୍ୟ ଅବହେଳିତ।
ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଅନୁଶାସନ ପ୍ରତି ଶାସକଙ୍କର ଯେଉଁ ଦାୟିତ୍ୱବୋଧ ରହିବା କଥା ତାହା ଦେଖିବାକୁ ମିଳୁନାହିଁ। ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ଖାଲି ଭାଷଣ ଦ୍ୱାରା ସମ୍ଭବ ନୁହେଁ। ଏଥିପାଇଁ ଆତ୍ମସମୀକ୍ଷା ଆବଶ୍ୟକ। ଲୋକଚରିତ୍ରରେ ଅନୁଶାସନ ଓ ଶାସକର ଆଭିମୁଖ୍ୟ ନୀତିରେ ଗଣତାନ୍ତ୍ରିକ ଜୀବନ ଧାରାର ପ୍ରତିଫଳନ ଦ୍ୱାରା ହିଁ ବାସ୍ତବ ଗଣତନ୍ତ୍ର ପ୍ରତିଷ୍ଠିତ ହୋଇପାରିବ – ଅନ୍ୟଥା ନୁହେଁ। ବୌଦ୍ଧିକ ସ୍ତରରେ ଆତ୍ମସଚେତନତା ଓ ଆତ୍ମ ସମୀକ୍ଷଣ ଦ୍ୱାରା ଆମ ବ୍ୟବସ୍ଥାର ଚରିତ୍ରଗତ ତ୍ରୁଟି ଓ ଦୁର୍ବଳତାର ସଂଶୋଧନ ହେବା ଏକାନ୍ତ ଆବଶ୍ୟକ।
ସେବାନିବୃତ ଅତିରିକ୍ତ ଶାସନ ସଚିବ, ଓଡ଼ିଶା ସରକାର
ଚୈତନ୍ୟ ଧାମ, ଶବର ସାହି, ଭୁବନେଶ୍ୱର
ମୋ.:୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri