ବିପଦସଙ୍କୁଳ ବରଗଡ଼-ଭେଡ଼େନ କେନାଲ: ବାଲିବସ୍ତା ପ୍ୟାଚଅପ୍‌କୁ ବାଉଁଶ ବାଡ଼ ଭରସା

ବରଗଡ଼,୨୭।୬(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି। କିନ୍ତୁ ଏପର୍ଯ୍ୟନ୍ତ କେନାଲ ପାଣି ଛଡ଼ାଯାଇ ନାହିଁ। ଅନ୍ୟପଟେ ବରଗଡ଼-ଭେଡ଼େନ କେନାଲର ଥୁକ୍‌ପାଲିସ୍‌ ମରାମତି ଚାଲିଛି। କେନାଲ ପାର୍ଶ୍ୱରେ ବାଲିବସ୍ତା, ବାଉଁଶ ବାଡ଼ ଦିଆଯାଉଛି। ବରଗଡ଼ ଘରୋଇ ବସଷ୍ଟାଣ୍ଡ ନିକଟରେ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଉକ୍ତ କେନାଲର ଉଭୟ ପାର୍ଶ୍ୱରେ ଏଭଳି କରାଯାଉଛି। ତେବେ କୌଣସି ପ୍ରାକୃତିକ ବିପର୍ଯ୍ୟୟରେ କେନାଲ ପାର୍ଶ୍ୱ ଏଭଳି ବିପଦପୂର୍ଣ୍ଣ ତଥା ଅସୁରକ୍ଷିତ ହୋଇ ପଡ଼ିଛି, ତାହା ନୁହେଁ। ସୌନ୍ଦର୍ଯ୍ୟକରଣ ପାଇଁ କେନାଲରେ ଗତମାସ ବକ୍ସ କଣ୍ଡୁଇଟ୍‌ ନିର୍ମାଣ ଆରମ୍ଭ ହୋଇଥିଲା। ଏଥିପାଇଁ କେନାଲ ପାର୍ଶ୍ୱରେ ରହିଥିବା କଂକ୍ରିଟକୁ ହଟାଇ ଦିଆଯାଇଥିଲା। କେନାଲରୁ ମାଟି, ବାଲି ମଧ୍ୟ ଉଠାଇ ଦିଆଯାଇଥିଲା। ହେଲେ କାମ ଆରମ୍ଭ ହେବାର ଅଳ୍ପଦିନ ମଧ୍ୟରେ ବକ୍ସ କଣ୍ଡୁଇଟ୍‌ ନିର୍ମାଣ ଅନିୟମିତତା ପଦାକୁ ଆସିଥିଲା। ରାଜ୍ୟ ସରକାରଙ୍କ ବିନା ଅନୁମୋଦନ ଏବଂ ଚୁକ୍ତିନାମା ବିନା ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଥିଲା। ଏହି ଅନିୟମିତତାରେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ତତ୍କାଳୀନ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଲମ୍ବନ କଲେ। ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ମାମଲା ବି ରୁଜୁ ହେଲା। ଆଉ ବକ୍ସ କଣ୍ଡୁଇଟ୍‌ ପାଇଁ ଖୋଲାଯାଇଥିବା କେନାଲ ପାର୍ଶ୍ୱକୁ ଏବେ ବାଲିବସ୍ତା ଏବଂ ବାଉଁଶ ବାଡ଼ରେ ପ୍ୟାଚଅପ୍‌ ମରାଯାଉଛି। ଏଭଳି ସ୍ଥିତିରେ ଦିନେ ସୁରକ୍ଷିତ ରହିଥିବା ଏହି କେନାଲ ବର୍ତ୍ତମାନ ଅସୁରକ୍ଷିତ ହୋଇ ପଡ଼ିଛି। ସୌନ୍ଦର୍ଯ୍ୟକରଣ ବଦଳରେ ବିପଦଶଙ୍କୁଳ ଅବସ୍ଥାକୁ ଆସି ଯାଇଛି। ଯନ୍ତ୍ରୀ, ଠିକାଦାରଙ୍କ ଜ୍ଞାତସାରରେ ହୋଇଥିବା ତୃଟୀ ପାଇଁ ଏବେ ଚାଷୀଙ୍କ ଦୁଃଖ ବଢ଼ି ଯାଇଛି। କେନାଲ ପାଣି ତଳମୁଣ୍ଡକୁ ଠିକ୍‌ଭାବେ ପହଞ୍ଚିଲା ତ ଫସଲ ଭଲ ହେବ, ନଚେତ୍‌ ଚାଷୀଙ୍କ ଚାଷକାର୍ଯ୍ୟ ବିଳମ୍ବିତ ହେବା ସାଙ୍ଗକୁ ଫସଲ ମଧ୍ୟ ପାଣି ଅଭାବରୁ ଉଜୁଡ଼ି ଯିବ। ତଳମୁଣ୍ଡ ଚାଷୀମାନେ ବର୍ତ୍ତମାନ ଏହି ଆଶଙ୍କାରେ ରହିଛନ୍ତି। ଏନେଇ ଭେଡେନ ଚାଷୀନେତା ଉପତ୍ନ୍ନ ଭୋଇ କହିଛନ୍ତି, ଭେଡ଼େନ ବ୍ଲକର ଅଧିକାଂଶ ଗ୍ରାମର ଚାଷୀ ଏହି କେନାଲ ଉପରେ ନିର୍ଭରଶୀଳ। କୌଣସି ମୁହୂର୍ତ୍ତରେ କେନାଲ ଭୁଷୁଡ଼ି ପଡ଼ିବାର ଆଶଙ୍କା ଦେଖାଯାଉଛି। ତେବେ ଏହାର ସ୍ଥାୟୀ ସମାଧାନ କରା ନ ଗଲେ ଏବଂ ତଳମୁଣ୍ଡକୁ ଠିକ୍‌ଭାବେ ପାଣି ନ ପହଞ୍ଚିଲେ, ଆଗକୁ ଆନ୍ଦୋଳନ ତୀବ୍ର ହେବ। ବରଗଡ଼ର ଚାଷୀ ନେତା ସୁରେଶ ନେକାଣ୍ଟି କହନ୍ତି, ଆଗରୁ ଜୁନ୍‌ ମାସ ୨୫ତାରିଖ ସୁଦ୍ଧା କେନାଲ ପାଣି ଆସି ଯାଉଥିଲା। ହେଲେ ଏପର୍ଯ୍ୟନ୍ତ କେନାଲ ପାଣି ଛଡ଼ାଯାଇ ନାହିଁ। କେବେ କେନାଲ ପାଣି ଆସିବ, ତାହା ମଧ୍ୟ ଜଳସମ୍ପଦ ବିଭାଗ ସ୍ପଷ୍ଟ କରି ନାହିଁ। ଅନ୍ୟପଟେ କେନାଲ ମରାମତି ଏବେ ମଧ୍ୟ ଚାଲିଛି। ତାହା କେବେ ସରିବ ଏବଂ କେନାଲ ପାଣି ଜମିକୁ ପହଞ୍ଚିବ, ସେ ନେଇ ଚାଷୀମାନେ ଅନ୍ଧାରରେ ରହିଛନ୍ତି। ମରାମତି କାର୍ଯ୍ୟ ଶୀଘ୍ର ସାରି କେନାଲରେ ପାଣି ଛାଡ଼ିବାର ଆବଶ୍ୟକତା ରହିଛି। ବରଗଡ଼ର ଅନ୍ୟ ଜଣେ ଚାଷୀନେତା ନିରଞ୍ଜନ ପ୍ରଧାନ କହନ୍ତି, କେନାଲ ସୌନ୍ଦର୍ଯ୍ୟକରଣ କରାଯାଉ, ସେଥିରେ ଚାଷୀଙ୍କ କୌଣସି ଆପତ୍ତି ଅଭିଯୋଗ ନାହିଁ। ଚାଷଜମିକୁ ଠିକ୍‌ ସମୟରେ ପାଣି ପହଞ୍ଚାଇ ଫସଲରକ୍ଷା ପାଇଁ କେନାଲ ଖୋଲାଯାଇଛି। କିନ୍ତୁ ସୌନ୍ଦର୍ଯ୍ୟକରଣ ନାମରେ ଭଲ ଥିବା କେନାଲକୁ ଖରାପ କରିଦେବା ଆଦୌ ସମୀଚୀନ ନୁହେଁ।

 

Dharitri – Odisha’s No.1 Odia Daily

 

Share