ବିପଦ ମାଡ଼ି ଆସୁଛି, ଏନ୍ତୁଡ଼ିଶାଳକୁ ପୁଣି ଫେରିଲା କରୋନା…

ବେଜିଂ,୮।୮: କରୋନା ମହାମାରୀର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାର ହୁବେଇ ପ୍ରଦେଶର ଉହାନ୍‌ ସହରରେ ସଙ୍କଟ ସୃଷ୍ଟି ହୋଇଛି। ଏଠାକୁ ପୁଣି କରୋନା ଫେରିଛି। ସହରରେ କେରାନା ସଂକ୍ରମଣ ଆରମ୍ଭ ହେବାରୁ ସୁରକ୍ଷା ଦୃଷ୍ଟିରୁ ଇତିମଧ୍ୟରେ କୋଟିଏରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସହରର ୧ କୋଟି ୧୨ ଲକ୍ଷ ୩୦ ହଜାରରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ୨୦୧୯ରେ ଉହାନରେ କରୋନା ମହାମାରୀ ସଂକ୍ରମଣର ପ୍ରଥମ ମାମଲା ରିପୋର୍ଟ କରାଯାଇଥିଲା। ଏବେ ଏଠାରେ ୬ ଜଣ ଆକ୍ରାନ୍ତଙ୍କଠାରେ କରୋନା ଲକ୍ଷଣ ଥିବାବେଳେ୧୫ ଜଣ ବିନା ଲକ୍ଷଣ ଆକ୍ରାନ୍ତ ରହିଛନ୍ତି। ସହରରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ଛୁଇଁଛି। ଏଥିରେ ସହରର ୩୧ ଜଣ ବାସିନ୍ଦା ରହିଛନ୍ତି। ଅନ୍ୟମାନେ ସହର ବାହାରର ବୋଲି କୁହାଯାଉଛି। ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି , ନ୍ୟୁକ୍ଲିକ ଏସିଡ ପରୀକ୍ଷା ପାଇଁ ୧ କୋଟି ୧୨ ଲକ୍ଷ ୩୦ ହଜାରରୁ ଅଧିକ ଲୋକଙ୍କ ନମୁନା ସଂଗ୍ରହ କରାଯାଇଛି। ଜାତୀୟ ନ୍ୟୁଜ ଏଜେନ୍ସି ଶିହ୍ନୁଆ ରିପୋର୍ଟ ଅନୁସାରେ ଡାକ୍ତରୀ ପରୀକ୍ଷଣ ସମୟରେ ଲକ୍ଷଣ ନଥିବା ୬୪ ଆକ୍ରାନ୍ତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ହୁବେଇ ପ୍ରଦେଶର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ଉପନିର୍ଦ୍ଦେଶକ ଲି ୟାଙ୍ଗ ଗଣମାଧ୍ୟମକୁ କହିଛନ୍ତି ଯେ, ସହରରେ ବ୍ୟାପକ ଲୋକଙ୍କ ନମୁନା ପରୀକ୍ଷା ଲାଗି ଅଗଷ୍ଟ ୪ଠାରୁ ଅଭିଯାନ ଆରମ୍ଭ ହୋଇଛି।
ଚାଇନାର ଜାତୀୟ ସ୍ବାସ୍ଥ୍ୟ ଆୟୋଗ କୁହାଯାଇଛି ଯେ, ଇତିମଧ୍ୟରେ ସହରରେ ୧୩୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆୟୋଗ କହିଛି ଦେଶରେ କରୋନା ସଂକ୍ରମଣ ମାମଲା ୯୩,୬୦୫କୁ ବୃଦ୍ଧି ପାଇଛି। ୧,୪୪୪ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ସେମାନଙ୍କ ମଧ୍ୟରୁ ୩୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଇତିମ ଧ୍ୟରେ ୪,୬୩୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଏଜେନ୍ସି କହିଛି।

Share