ପୁଣି ମାଡ଼ି ଆସୁଛି ବିପଦ, ଆରମ୍ଭ ହେଲାଣି ଚତୁର୍ଥ ଲହର…

ଜେନେଭା,୩୧।୭: କରୋନା ମହାମାରୀର ଦ୍ୱିତୀୟ ଲହର ପୃଥିବୀର କେତେକ ଦେଶରେ ଥମି ନ ଥିବାବେଳେ କିଛି ଦେଶରେ ତୃତୀୟ ଲହର ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ପୃଥିବୀର ମଧ୍ୟ-ପୂର୍ବ ଦେଶ ଗୁଡ଼ିକରେ କରୋନା ମହାମାରୀର ଚତୁର୍ଥ ଲହର ଆରମ୍ଭ ହେଲାଣି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। କରୋନା ମହାମାରୀର ଡେଲ୍ଟା ଭାରିଆଣ୍ଟ ଯୋଗୁଁ ମଧ୍ୟ୍‌-ପୂର୍ବ ଦେଶଗୁଡିକରେ ଚତୁର୍ଥ ଲହର ଜାରି ରହିଛି। ଏସବୁ ଦେଶଗୁଡିକରେ ଟିକାକରଣ ହାର କମ ରହିଛି। ଫଳରେ ଏହି କାରଣ ଯୋଗୁ କରୋନା ମହାମାରୀ ଭୂତାଣୁ ସଂକ୍ରମଣ ବଢ଼ିବାରେ ଲାଗିଛି। ପୂର୍ବ ଭୂମଧ୍ୟସାଗରୀୟ ଅଞ୍ଚଳରେ ମହାମାରୀ ସଂକ୍ରମଣ ଅଣାୟତ୍ତ ହୋଇଛି। ସଂକ୍ରମଣ ହାର ୫୫କୁ ବୃଦ୍ଧି ପାଇଥିବାବେଳେ ଏହି ଅଞ୍ଚଳରେ ମୃତ୍ୟୁ ହାର ୧୫ ପ୍ରତିଶତ ବୃଦ୍ଧି ପାଇଛି।
ଗତ ଏକ ସପ୍ତାହ ମଧ୍ୟରେ କରୋନା ମହାମାରୀ ଯୋଗୁଁ ପୃଥିବୀରେ ମୃତ୍ୟୁ ୨୧ ପ୍ରତିଶତ ବଢ଼ିଛି। ସେଥିମଧ୍ୟରୁ ୬୯,୦୦୦ ଆକ୍ରାନ୍ତଙ୍କ ମୃତ୍ୟୁ ଆମେରିକା ଏବଂ ଦକ୍ଷିଣ ପୂର୍ବ ଏସିଆରେ ଘଟିଛି। ଏଥି ସହିତ, ପୃଥିବୀରେ କରୋନା ସକ୍ରିୟ ମାମଲାରେ ୮ ପ୍ରତିଶତ ବୃଦ୍ଧି ପାଇଛି। ପ୍ରତିଦିନ ହାରାହାରି ୫ ଲକ୍ଷ ୪୦ ହଜାର ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ଏହା ସହିତ ପୃଥିବୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୪ କୋଟିକୁ ବୃଦ୍ଧି ପାଇଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ନିୟୁତ ଅତିକ୍ରମ କରିବାର ଆଶଙ୍କା ସୃଷ୍ଟି ହୋଇଛି । ୟୁରୋପ ବ୍ୟତୀତ ସମସ୍ତ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ଡବ୍ଲ୍ୟୁଏଚ୍‌ଓ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆମେରିକା, ବ୍ରାଜିଲ, ଇଣ୍ଡୋନେସିଆ, ବ୍ରିଟେନ ଏବଂ ଭାରତରେ ସର୍ବାଧିକ ସଂଖ୍ୟକ ଆକ୍ରାନ୍ତ ରହିଛନ୍ତି ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି।

Share