ବିପଦ ଆସୁଛି ମାଡ଼ି, ୯ ବର୍ଷ ମଧ୍ୟରେ ସମୁଦ୍ରରେ ବୁଡ଼ିଯିବ ଏସିଆର ୭ ବଡ଼ ସହର…

ଆମଷ୍ଟେରଡାମ୍‌,୧୨।୭: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ତାପନ ବଢ଼ିବାରେ ଲାଗିଛି। ଏହାଦ୍ୱାରା ମେରୁ ଅଞ୍ଚଳରେ ଥିବା ହିମ ପାହାଡ଼ ତରଳିବା ଧାରା ଜାରି ରହିଛି। ଏହାଯୋଗୁ ସମୁଦ୍ରର ଜଳସ୍ତର ବୃଦ୍ଧି ପାଉଛି। ଫଳରେ ଆସନ୍ତା ୯ ବର୍ଷ ମଧ୍ୟରେ ୨୦୩୦ ସୁଦ୍ଧା ଏସିଆର ୭ ବଡ଼ ସହର ସମୁଦ୍ରରେ ବୁଡ଼ିଯିବାର ଆଶଙ୍କା ସୃଷ୍ଟି ହୋଇଛି। ପୃଥିବୀର ୫୫ରୁ ଅଧିକ ଦେଶରେ ପରିବେଶ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ଗ୍ରୀନ୍‌ପିସ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଲେଖ ହୋଇଛି। ବ୍ୟାଙ୍କଙ୍କ, ହଂକଂ, ଟୋକିଓ, ସିଓଲ୍‌, ଜାକର୍ତ୍ତା, ତାଇପେ ଏବଂ ମାନିଲା ଆଦି ସହର ଉପରେ ବିପଦ ମାଡ଼ି ଆସୁଛି। ଆଗାମୀ ଦିନରେ ଏସବୁ ଉପନକୂଳବର୍ତ୍ତୀ ସହରରେ ଘୂର୍ଣ୍ଣିଝଡ଼, ଲଘୁଚାପ, ଉଚ୍ଚା ଜୁଆର, ପ୍ରବଳ ବନ୍ୟା ଆଦି ଘଟଣା ଘଟିବାର ଆଶଙ୍କା ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହାଦ୍ୱାରା ମୋଟ ୬୦ କୋଟିରୁ ଅଧିକ ଲୋକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପ୍ରଭାବିତ ହେବେ। ତେବେ ଦେଢ଼ କୋଟିରୁ ଅଧିକ ଲୋକ ବାସହରା ହେବା ସହିତ ଜୀବନଜୀବିକା କ୍ଷେତ୍ରରେ ବହୁ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ସମୁଦ୍ର ସ୍ଥଳ ଭାଗକୁ ମାଡ଼ି ଆସିବା ଦ୍ୱାରା ବ୍ୟାଙ୍କଙ୍କର ୧୭ ପ୍ରତିଶତ ଅଞ୍ଚଳ ଜଳମଗ୍ନ ହେବ। ସେହିପରି ଜାକର୍ତ୍ତାର ୧୭ ପ୍ରତିଶତ ଅଞ୍ଚଳ ସମୁଦ୍ରରେ ବୁଡ଼ିଯିବ। ଟୋକିଓ ମୋଟ ଜିଡ଼ିପିର ୬୮,୦୦ କୋଟି ଡଲାର କ୍ଷତି ସହିବ। ତାଇପେ ଜିଡ଼ିପିର ୨୪ ପ୍ରତିଶତ ପ୍ରଭାବିତ ହେବାର ଆଶଙ୍କା ରହିଛି। ମାନିଲାର ୮୭ ପ୍ରତିଶତ ଉପକୂଳ ସ୍ଥଳଭାଗ ସମୁଦ୍ର ଗର୍ଭରେ ଲୀନ ହେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share