ଲୋଇସିଂହା,୧୯।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ନବଗଠିତ ଏନଏସି ଅନ୍ତର୍ଗତ ପନେସରା ଗାଁରେ ଦୀର୍ଘଦିନଧରି ଭୟରେ ଦିନ କାଟୁଛନ୍ତି ୨ଟି ପରିବାର। ଗ୍ରାମର ଗ୍ରାମପତି ଗୁଡି ନିକଟରେ ଥିବା ବହୁ ପୁରୁଣା ତେନ୍ତୁଳି ଗଛ ଢଳି ପଡିଥିବାବେଳେ ବଡବଡ ଡାଳ ଏବେ ସିଧାସଳଖ ଭାବେ ସେହି ଘର ଉପରେ ଝୁଲି ରହିଛି। ଯେକୌଣସି ସମୟରେ ଡାଳ ଭାଙ୍ଗିପଡି ବଡ ଅଘଟଣ ଘଟିପାରେ ବୋଲି ଆଶଙ୍କା କରାଯାଉଛି। ଫଳରେ ଭୟ ସହ ରହୁଛନ୍ତି ସମ୍ପୃକ୍ତ ପରିବାର ଲୋକେ। ଅପରପକ୍ଷେ ଏହି ଅସୁରକ୍ଷିତ ଗଛକୁ କାଟିବା ପାଇଁ ସ୍ଥାନୀୟ ବନ ବିଭାଗକୁ ଗ୍ରାମବାସୀ ଜଣାଇଛନ୍ତି। କିନ୍ତୁ ସୁଫଳ ମିଳିପାରି ନ ଥିବା ଗ୍ରାମବାସୀ କହିଛନ୍ତି।
ପ୍ରକାଶ ଯେ, ଗ୍ରାମପତି ଗୁଡି ଅଞ୍ଚଳରେ ଗ୍ରାମର କେତେକ ପରିବାର ରହିଆସୁଛନ୍ତି। ଅରୁଣ ବିଶ୍ୱାଳ ଓ ଅନ୍ଧାରୁ ବିଶ୍ୱାଳଙ୍କ ଘର ଉପରେ ତେନ୍ତୁଳି ଗଛର ଡାଳ ଗୁଡିକ ଝୁଲି ରହିଛି। ସବୁଠାରୁ ଦୁଃଖର କଥା ହେଉଛି ସେଥିମଧ୍ୟରୁ ଗୋଟିଏରେ ରହୁଛନ୍ତି ଜଣେ ଦିବ୍ୟାଙ୍ଗ ପରିବାର। ଅରୁଣ ପକ୍ଷାଘାତରେ ପୀଡିତ ହୋଇ ଦିବ୍ୟାଙ୍ଗ ପାଲଟି ଯାଇଥିବାବେଳେ ତାଙ୍କ ୨ଜଣ ଭଉଣୀ ଓ ଭାଇ ମୁକ ଅଟନ୍ତି। ତାଙ୍କ ସହିତ ବିଧବା ମା’ ମଧ୍ୟ ରହୁଛନ୍ତି। ଅତ୍ୟନ୍ତ ଦୂରାବସ୍ତା ଯୋଗୁ ସେମାନେ ଅନ୍ୟତ୍ର କୌଣସି ସୁରକ୍ଷିତ ସ୍ଥାନକୁ ଯାଇପାରୁନାହାନ୍ତି। ବର୍ତ୍ତମାନ ସମୟରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳୁଛି। କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ହେଲେ ଗଛଡାଳ ଦୋହଳି ଘର ଉପରେ ପଡିବାର ଆଶଙ୍କା ଆଉ ବଢିଯାଉଛି। ରାତି ହେଲେ ଭୟରେ ପରିବାର ଲୋକଙ୍କ ଆଖିରେ ନିଦ ନାହିଁ ବୋଲି କହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏନେଇ ସମ୍ପୃକ୍ତ ବିଭାଗ ଓ ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନାହିଁ। ବଡ ଦୁର୍ଘଟଣା ଘଟିବା ପରେ ପ୍ରଶାସନର ଚେତା ଫେରିବ କି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।