ଟଳିଲା ବିପଦ, ରାଇକିଆବାସୀ ଆଶ୍ୱସ୍ତ: ପ୍ରଶାସନର ପଦକ୍ଷେପକୁ ପ୍ରଶଂସା

ରାଇକିଆ,୨୧।୧୧(ପ୍ରଦୀପ ବେହେରା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅକ୍ୱାନ ଶୁକ୍ରବାର ସ୍ଥଳଭାଗ ଛୁଇଁବା ପରେ ଯେଉଁ ବର୍ଷା ପବନ ଆଶଙ୍କା କରାଯାଉଥିଲା ତାହା ପ୍ରଭାବ ଶୂନ୍ୟ ରହିବା ରାଇକିଆବାସୀଙ୍କୁ ଆଶ୍ୱସ୍ତ କରିଛି। ଗତ ଅର୍ଣ୍ଣବ ବାତ୍ୟା ରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା ରାଇକିଆ ବ୍ଲକ। ଘର ଦ୍ୱାର ନଷ୍ଟ ଫସଲ, ଚାଷ ଜମି ଜଳମଗ୍ନ ହୋଇ ନଷ୍ଟ ହୋଇଥିଲା। ଏହାର କିଛି ଦିନ ମଧ୍ୟରେ ପୁଣି ଏକ ବାତ୍ୟା ଆଶଙ୍କା ଲୋକଙ୍କ ଚିନ୍ତା ବଢାଇଥିଲା। ତେବେ ଅକ୍ୱାନ ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ରାଇକିଆ ବ୍ଲକରେ ତିନିଦିନ ପୁର୍ବରୁ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରିବା, ବିପଦପୂର୍ଣ୍ଣ ପାହାଡ଼ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ଏବଂ ଆଶ୍ରୟସ୍ଥଳୀଗୁଡିକରେ ସମସ୍ତ ପ୍ରକାର ସୁବିଧା ଯୋଗାଇବା ବ୍ୟବସ୍ଥାକୁ ଦଳଗତ ନିର୍ବିଶେଷରେ ପ୍ରଶଂସା କରଯାଇଛି । ବିଶେଷ କରି ତିନି ସପ୍ତାହ ମଧ୍ୟରେ ଦୁଇଟି ବାତ୍ୟା ମୁକାବିଲା, ଥଇଥାନ, କ୍ଷୟକ୍ଷତି ଆକଳନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରଯାଇଛି । ଶନିବାର ପାଗରେ ପରିବର୍ତ୍ତନ ଆସିଥିବାରୁ ସ୍ଥାନାନ୍ତରିତ ହୋଇଥିବା ପରିବାରଙ୍କୁ ଆଜି ନିଜ ଗ୍ରାମକୁ ଫେରାଇ ନିଆଯିବ। କେବଳ ଅର୍ଣ୍ଣବ ବାତ୍ୟାରେ ସଂପୂର୍ଣ୍ଣ ଧ୍ୱଂସ ହୋଇ ଯାଇଥିବା ଡାଙ୍ଗେସି ଗ୍ରାମର କ୍ଷତିଗ୍ରସ୍ତ ପରିବାର ଯୋଗେଶର ହାଇସ୍କୁଲ ରିଲିଫ କ୍ୟାମ୍ପରେ ରହିବେ ବୋଲି ରାଇକିଆ ବିଡିଓ ସବ୍ୟସାଚି ସାହୁ କହିଛନ୍ତି।

 

Dharitri – Odisha’s No.1 Odia Daily

 

Share