ଦଣ୍ଡରେ ଅଶ୍ଳୀଳ ଗୀତ, ନାଚ ବନ୍ଦ ନିଷ୍ପତ୍ତି

ଫୁଲବାଣୀ ଅଫିସ,୧୯।୪: କନ୍ଧମାଳ ଜିଲାରେ ଦଣ୍ଡ ପରମ୍ପରାର ଏକ ସ୍ବତନ୍ତ୍ର ପରିଚୟ ରହିଛି ା ଚଳିତ ବର୍ଷ ଦଣ୍ଡ ପାଳନ ବେଳେ ଅନେକ ସ୍ଥାନରେ ଅଶ୍ଳୀଳ ଗୀତ, ନାଚ ଦେଖିବାକୁ ମିଳିଛି ା ଏହାକୁ କନ୍ଧମାଳ ଜାଗରଣ ମଞ୍ଚ ବିରୋଧ କରିଛି ା
ଦଣ୍ଡ ପରମ୍ପରାକୁ ମାନିବା ସହ ଆଗାମୀ ଦଣ୍ଡ ନାଚ ବେଳେ କୌଣସି ସ୍ଥାନରେ ଅଶ୍ଳୀଳ ଗୀତ ସହ ନାଚ ନ କରିବା ଲାଗି କନ୍ଧମାଳ, ବୌଦ୍ଧ, ଦଶପଲ୍ଲା ଦଣ୍ଡ କମିଟିମାନଙ୍କୁ ଜଣାଇ ଦିଆଯାଇଥିବା ମଞ୍ଚ ପକ୍ଷରୁ ଏକ ପ୍ରେସ୍‌ ବିବୃତି ଜାରି କରାଯାଇଛି। ଗତ ଫେବୃୟାରୀରେ କନ୍ଧମାଳ ଜାଗରଣ ମଞ୍ଚ ଆୟୋଜନରେ ଫୁଲବାଣୀରେ ଅନୁଷ୍ଠିତ ଦୁଇ ଦିନିଆ ଚିନ୍ତନ ଶିବିରରେ କନ୍ଧମାଳ, ବୌଦ୍ଧ, ଦଶପଲ୍ଲା ଦଣ୍ଡୁଆ ଭାଇମାନେ ଯୋଗ ଦେଇଥିଲେ ା
ଏହି ଶିବିରରେ ଦଣ୍ଡୁଆମାନଙ୍କ ବିଭିନ୍ନ ଦାବି ଉପରେ ଆଲୋଚନା କରାଯାଇ ସରକାରଙ୍କୁ ଅବଗତ କରାଯାଇଥିଲା ା ଦଣ୍ଡ ନାଚ ବେଳେ ଅଶ୍ଳୀଳ ତଥା ଦ୍ୱିଅର୍ଥ ବୋଧକ ଗୀତ ବଜାଇ ନାଚ ନ କରିବାକୁ ସମସ୍ତେ ନିଷ୍ପତ୍ତି ନେଇଥିଲେ ା ହେଲେ ଚଳିତ ଦଣ୍ଡନାଚରେ ତାହାର ବ୍ୟତିକ୍ରମ ହେଲା ା ଏ ସମସ୍ତ ଦିଗ ଉପରେ ଦଣ୍ଡ କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇଛି ବୋଲି ଜାଗରଣ ମଞ୍ଚ ସଭାପତି ଶେଷଦେବ ଜାନୀ, ବିକାଶ କୁମାର ମହାନ୍ତି, ଭି.ସୁବ୍ରମଣ୍ୟମ ଦାସ, ରମେଶ ଚନ୍ଦ୍ର ମହାନ୍ତି, ନବୀନ କିଶୋର ପଣ୍ଡା, ସନ୍ତୋଷ ପଣ୍ଡା, ବ୍ରଜକିଶୋର ପଟ୍ଟନାୟକ, ଆବାହକ ପରେଶ ମହାପାତ୍ର ପ୍ରମୁଖ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।