ନୃତ୍ୟ ଦେଇଛି ପରିଚୟ

ଭୁବନେଶ୍ୱର ନୟାପଲ୍ଲୀରେ ରହୁଥିବା ମାଆ ସୌମ୍ୟାସ୍ମିତା ଏବଂ ବାପା ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ଝିଅ ସ୍ବସ୍ତିଦୀପା। ନୃତ୍ୟ ତାଙ୍କର ନିଶା ହେଲେ ମଧ୍ୟ ଭବିଷ୍ୟତର ଲକ୍ଷ୍ୟ ପ୍ରଶାସନିକ ସେବାରେ ଯୋଗ ଦେବା। ଯେଉଁଥିପାଇଁ ନିଜ ରୁଚି ସହ ପାଠପଢ଼ାକୁ ମଧ୍ୟ ସେ ସମାନ ଭାବେ ଗୁରୁତ୍ୱଦିଅନ୍ତି। ବର୍ତ୍ତମାନ ସେ ଭୁବନେଶ୍ୱର ୟୁନିଟ୍‌-୮ ସ୍ଥିତ ଡିଏଭି ସ୍କୁଲ୍‌ରୁ ଦଶମ ଶ୍ରେଣୀ ପଢ଼ା ସମାପ୍ତ କରିଛନ୍ତି। ମାତ୍ର ତିନି ବର୍ଷ ବୟସରୁ ଦେଖାଦେଇଥିଲା ତାଙ୍କର ନୃତ୍ୟ ପ୍ରତି ଆଗ୍ରହ। ଏହା ଦେଖି ମା’ବାପା ତାଙ୍କୁ ପ୍ରୋତ୍ସାହିତ କରିଥିଲେ। ଓଡ଼ିଶା ଡ୍ୟାନ୍ସ ଏକାଡେମୀରେ ସେ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ପରେ ଗୁରୁ ଶ୍ରୀଗୌତମ ଭଟ୍ଟାଚାର୍ଯ୍ୟଙ୍କଠାରୁ ସେମି କ୍ଲାସିକାଲ ନୃତ୍ୟ ଶିକ୍ଷା ଗ୍ରହଣ କଲେ। ବର୍ତ୍ତମାନ ସୁଦ୍ଧା ସେ ଅଭିନ୍ନ କଳାକ୍ଷେତ୍ର, ସାଇ କଳା ସଂସଦ, ପିକକ୍‌ ସଂସ୍କୃତି ସମ୍ମାନ ଏବଂ ଆହୁରି ଅନେକ ଅନୁଷ୍ଠାନରୁ ପୁରସ୍କୃତ ହୋଇଛନ୍ତି। ୨୦୧୯ ମସିହାରେ ଓଡ଼ିଶୀ ନୃତ୍ୟରେ ଜାତୀୟ ମେଧାବୃତ୍ତି ମଧ୍ୟ ପାଇଛନ୍ତି। ୨୦୧୮ ମସିହାରେ ସେ ଜାତୀୟ ସ୍ତରୀୟ ରିଆଲିଟି ଶୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ଅଂଶ ଗ୍ରହଣ କରି ଶ୍ରେଷ୍ଠ ୧୬ଜଣଙ୍କ ମଧ୍ୟରେ ରହିଥିଲେ। ହେଲେ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କୁ ବାଧ୍ୟ ହୋଇ ଓହରି ଯିବାକୁ ପଡ଼ିଥିଲା। ଏସବୁ ବ୍ୟତୀତ ଧଉଳି ମହୋତ୍ସବ, ଓଡ଼ିଶା ସ୍କିଲ୍‌ ଡେଭଲ୍‌ପମେଣ୍ଟ, ବିଜୁ କାଳିଆ ଯୋଜନା, ମା’ ଭବାନୀ ଚାରିଟେବ୍‌ଲ ଟ୍ରଷ୍ଟ, କଳିଙ୍ଗ ଚାରିଟେବ୍‌ଲ ଟ୍ରଷ୍ଟ, ନିର୍ମଳାକୃତି ବିକାଶ ଟ୍ରଷ୍ଟ ଆଦି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ଅଭିନୟ ଓ ନୃତ୍ୟ ପାଇଁ ଅନେକବାର ପୁରସ୍କୃତ ହୋଇଛନ୍ତି। ଏହାଛଡ଼ା ସେ ଜାତୀୟ ସ୍ତରରେ ପୁରସ୍କାର ପାଇଥିବା ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ର ‘ମାଆ’, ‘ସିନ୍ଦୂର’ରେ ଅଭିନୟ କରି ନିଜର ଅଭିନୟ କଳାରେ ପାରଦର୍ଶିତା ଦେଖାଇ ସାରିଛନ୍ତି। ନୃତ୍ୟ ବ୍ୟତୀତ ବକ୍ତୃତା ଏବଂ ଅଭିନୟରେ ମଧ୍ୟ ସେ ପାରଦର୍ଶିତା ଦେଖାଇ ସଭିଙ୍କ ମନ ଜିଣି ପାରିଛନ୍ତି। ତେବେ ନିଜ ସମସ୍ତ ସଫଳତାର ଶ୍ରେୟ ଅଭିଭାବକଙ୍କ ସହ ଗୁରୁଙ୍କୁ ଦିଅନ୍ତି ସ୍ବସ୍ତିଦୀପା।