ଡମ୍ବାଦାଇ ଗାଁ ରାସ୍ତା ପାଲଟିଛି ମରଣଯନ୍ତା

ଫିରିଙ୍ଗିଆ,୨୯।୪: ସରକାର ଆଦିବାସୀ ବହୁଳ ଜିଲା ଗୁଡ଼ିକରେ ଗମନା ଗମନ କ୍ଷେତ୍ରରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏହା ଖାଲି କାଗଜପତ୍ରରେ ସୀମୀତ ଭଳି ଅନେକ ସମୟରେ ନଜିର ରହିଛି। ଆଜି ଯାଏ କନ୍ଧମାଳ ଜିଲାର ସବୁଠୁ ବଡ ସମସ୍ୟା ହେଉଛି ରାସ୍ତା। ବହୁ ଗ୍ରାମକୁ ଭଲ ରାସ୍ତା ଟିଏ ନାହିଁ। ଜନ ସାଧାରଣଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଢୁଛି। ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ ହେଉଥିଲେ ବି ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଛି। ବର୍ଷ ବର୍ଷ ଧରି ଖାଲଖମା ରାସ୍ତାରେ ଯାତାୟାତ କରି ଆସୁଥିଲେ ବି କିଛି ପଦକ୍ଷେପ ନିଆଯାଉନାହିଁ। କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ ଡମ୍ବାଦେଇ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ଆଜକୁ ବହୁ ବର୍ଷ ହେଲା ଏହି ଗ୍ରାମ ରାସ୍ତା ମରାମତି କରାଯାଉନାହିଁ। କୌଣସି ଜରୁରୀ କାମରେ ଲୋକେ ବ୍ଲକ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ ହେଲେ ଏହି ରାସ୍ତା ପ୍ରତିବନ୍ଧକ ସାଜୁଛି। ଡମ୍ବାଦେଇଠାରୁ ଚିଙ୍ଗୁଡ଼ିଖୋଲ ଗାଁକୁ ସଂଯୋଗ କରୁଥିବା ଏହି ଘାଟି ରାସ୍ତା ବର୍ଷ ବର୍ଷ ଧରି ଖାଲ ଖମାରେ ଭର୍ତ୍ତି ହୋଇ ରହିଛି। ଦୈନନ୍ଦିନ ସରୁଲାଇ, ଚିଙ୍ଗୁଡ଼ିଖୋଲ, ଗୁମି, ବ ସେରେମୁଣ୍ଡା ଭଳି ଗାଁର ୬୦୦ ରୁ ଊର୍ଦ୍ଧ୍ୱ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ରାସ୍ତାର ଅବସ୍ଥା ଖରାପ ଥିବାରୁ ଜରୁରୀକାଳୀନ ସ୍ଥିତି ସମୟରେ ଗାଁକୁ ଆମ୍ବୁଲାନ୍ସ ଯାଇପାରୁନାହିଁ। ଛୋଟ ପିଲାମାନେ ଅଧିକାଂଶ ସମୟରେ ଦୁର୍ଘଟଣାର ଶୀକାର ହେଉଛନ୍ତି। ବର୍ଷା ଦିନେ ଗାଁରେ କାହାର ଦେହ ଖରାପ ହେଲେ ଚାଲିବା ବି କଷ୍ଟ ବୋଲି ଗ୍ରାମବାସୀ କହିଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଚିଙ୍ଗୁଡ଼ି ଖୋଲ ଘାଟି ରାସ୍ତା ମାତ୍ର ଅଳ୍ପ ଦୂରରେ। ତଥାପି ରାସ୍ତା ମରାମତି ଉପରେ ଦୃଷ୍ଟି ନ ଦେବା ଦୁଭାଗ୍ୟର ବିଷୟ ବୋଲି ଲୋକେ କହିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମର ଦୁବାରା କହଁର, ଶିଚନ୍ଦନ କହଁର, ନାମ କହଁର, ବିଶ୍ୱନାଥ କହଁର, ଲିମ୍ବର କହଁର, ରାଜିବ କହଁର, ସୁଶାନ୍ତ କହଁର, ଜଳନ୍ଧର କହଁର ପ୍ରମୁଖ ପ୍ରକାଶ କରିଛନ୍ତି। ସରପଞ୍ଚ ଏସିଆ କହଁରଙ୍କୁ ପଚାରିବାରୁ କିଭଳି ତୁରନ୍ତ ଘାଟି ରାସ୍ତା ନିର୍ମାଣ ହୋଇ ପାରିବ, ସେ ବିଷୟରେ ଉଚ୍ଚ କତୃପକ୍ଷଙ୍କ ସହ ଆଲୋଚନା କରବି। ଯଥା ସମ୍ଭବ ଏହି ରାସ୍ତା ନିର୍ମାଣ ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି।