ଘୂର୍ଣ୍ଣିଝଡ଼,କୁଆପଥର ମାଡ଼ରେ ବ୍ୟାପକ କ୍ଷତି

ଜଳେଶ୍ୱର,୩ା୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ୧୦ ପଞ୍ଚାୟତରେ ରବିବାର ଅପରାହ୍ନରେ ଘୂର୍ଣ୍ଣିଝଡ଼ ଓ କୁଆପଥର ବର୍ଷା ଯୋଗୁ ବ୍ୟାପକ କ୍ଷତି ହୋଇଛି। ଧାନ ଓ ପରିବାଚାଷ ନଷ୍ଟ ହେବା ସହ ଅନେକ ଲୋକଙ୍କ ଛପର ଉଡ଼ିଯାଇଛି। ରାଜସ୍ବ ବିଭାଗର କର୍ମଚାରୀମାନେ ବିଭିନ୍ନ ଗ୍ରାମରେ ବୁଲି କ୍ଷୟକ୍ଷତି ଆକଳନ କରୁଛନ୍ତି।
ଘୂର୍ଣ୍ଣିଝଡ଼ ଓ କୁଆପଥର ବର୍ଷା ପ୍ରଭାବରେ ପାଇକସିଦା, ଚୋରମରା, ବର୍ତ୍ତନା, କୋଟସାହି, ରାୟାଁରାମଚନ୍ଦ୍ରପୁର, ଆରୁହା, ନଛିମପୁର, ଗୋପୀମୋହନପୁର,ଗଡ଼ସାହିବାଲିଆପାଳ,ଜଳେଶ୍ୱର ମ୍ୟୁନିସିପାଲଟି ଓ ସୁଗୋ ପଞ୍ଚାୟତର ବ୍ୟାପକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ସ୍ଥାନରେ ବଡବଡ ଗଛ, ଇଲେକ୍ଟ୍ରିଖୁଣ୍ଟି ଭୂଇଁରେ ଲୋଟିଛି। ବାଇଗଣ, ଭେଣ୍ଡି, ବିରି, ମୁଗ, ତିଳ, କାକୁଡି, କଖାରୁ, ଚିନାବାଦାମ, ତରବୁଜ, ଧାନ ଚାଷର ବ୍ୟାପକ କ୍ଷତି ଘଟିଛି। ଆମ୍ବ, ପଣସ ଖସି ନଷ୍ଟ ହୋଇଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରେ ପଡ଼ିଥିବା ବଡ଼ବଡ଼ ଗଛ ସଫା କରିବାରେ ଲାଗିଛନ୍ତି। ଚୋରମରା ଗାଁର ହିରାମଣି ହାଁସଦା (୨୪), ଦେବରାଜ ହାଁସଦା (୨୨) ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି।