ଡାଲଚିନି

ଏକଦା ଜଣେ ବ୍ୟାଙ୍କର ଭୁବନେଶ୍ୱରରୁ କୋଣାର୍କ ବୁଲିବାକୁ ବାହାରିଛି। ସାଙ୍ଗରେ ଅଛି ଜଣେ ଝିଅ। ବାଟରେ ଦୁହିଁଙ୍କ ଭିତରେ କ’ଣ ଘଟୁଛି, ସେମାନେ କି କି ପରିସ୍ଥିତିର ସାମ୍‌ନା କରି ସେଠାରୁ ଫେରୁଛନ୍ତି ଆଉ ଏପରି ଯାତ୍ରାର ମଧୁର ପରିସମାପ୍ତି ହେଉଛି କି ନାହିଁ-ଏପରି କଥାବସ୍ତୁକୁ ଆଧାର କରି ନିର୍ମିତ ହୋଇଛି ଓଡ଼ିଆ ସିନେମା ‘ଡାଲଚିନି’। ଖାସ୍‌ କଥା ହେଲା ଏହି ଫିଲ୍ମଟି ନିକଟରେ ଶିମ୍‌ଲା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ଫିଚର ଫିଲ୍ମ ଭାବରେ ପୁରସ୍କୃତ ହୋଇଛି। ଏହାର ପ୍ରଯୋଜନା କରିଛନ୍ତି ପୂର୍ବରୁ ‘ମୁଁ ରାଜା ତୁ ରାଣୀ’ ଏବଂ ‘ଭଉଁରୀ’ ଭଳି ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା କରିଥିବା ଅତୀଶ କୁମାର ରାଉତ। ଋତୁପ୍ରିୟା ପ୍ରଡକ୍ସନ ପ୍ରା.ଲିଃ. ବ୍ୟାନରରେ ଏହାର ସହ-ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ସୁପ୍ରିୟା ରାଉତ। ଅନ୍ୟପକ୍ଷରେ କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଜିତେନ୍ଦ୍ରିୟ ପ୍ରଧାନ। ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଶିଶିର ସାହୁ ଏବଂ ପିନାକୀ ସିଂ। ସଂଯୋଜିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ଜେରି ସିଲଭରେଷ୍ଟ ଭିନ୍‌ସେଣ୍ଟ। ଏହାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ପାର୍ଥସାରଥୀ ରାୟ ଏବଂ ସୂର୍ଯ୍ୟମୟୀ। ଏପରି ସଫଳତା ସମ୍ପର୍କରେ ଅତୀଶ କହନ୍ତି, ‘ଏହା ଏକ କମର୍ସିଆଲ ଫିଲ୍ମ ହେଲେ ମଧ୍ୟ ତାହା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କାର ପାଇବ ବୋଲି ମୋର ଦୃଢ଼ ବିଶ୍ୱାସ ଥିଲା। ତାହା ସଫଳ ହୋଇଛି। ଏଣିକି ଏପରି ସିନେମା ନିର୍ମାଣ କରିବାକୁ ମୋତେ ‘ଡାଲଚିନି’ ଯଥେଷ୍ଟ ପ୍ରେରଣା ଯୋଗାଇଛି ବୋଲି କହିବି।’

Share