ଡେଲି ମାର୍କେଟର ୩ ଦୋକାନ ସିଲ୍‌

ଅନୁଗୋଳ ଅଫିସ, ୨୪ା୯: ଟିକସ ପ୍ରଦାନ ନ କରିବା, ଆବର୍ଜନା କରିବା ଏବଂ ପଲିଥିନ୍‌ ବିକ୍ରି କରୁଥିବା ଯୋଗୁ ଅନୁଗୋଳ ପୌରପାଳିକା ପକ୍ଷରୁ ଡେଲି ମାର୍କେଟ୍‌ର ୩ ଦୋକାନକୁ ଶୁକ୍ରବାର ସିଲ୍‌ କରାଯାଇଛି। ସୂଚନା ଅନୁଯାୟୀ, ଡେଲି ମାର୍କେଟର ଗୋଟିଏ ଦୋକାନରେ ପଲିଥିନ୍‌ ସହ ସୋଲରେ ତିଆରି ସାମଗ୍ରୀ ବିକ୍ରି ହେଉଥିଲା। ତେବେ ଦୋକାନ ଆଗରେ ଗଦା ଗଦା ଅଳିଆ ପକାଯାଇ ଅପରିଷ୍କାର ପରିବେଶ ସୃଷ୍ଟି କରାଯାଉଥିଲା। ଏ ନେଇ ପୌରପାଳିକା ପକ୍ଷରୁ ବାରମ୍ବାର ଚେତାବନୀ ଦିଆଯାଇଥିଲେ ମଧ୍ୟ ବ୍ୟବସାୟୀ ଜଣକ ସୁଧୁରି ନ ଥିଲେ। ଫଳରେ ପୌର କର୍ମଚାରୀ ଚଢ଼ାଉ କରି ଦୋକାନକୁ ସିଲ୍‌ କରିଥିବା ଟ୍ୟାକ୍ସ ଦାରୋଗା ବିଭୂତି ଭୂଷଣ ମହାରଣା ସୂଚନା ଦେଇଛନ୍ତି। ସେହିପରି ଅନ୍ୟ ୨ ଦୋକାନୀ ୪ ବର୍ଷ ହେବ ଟିକସ ପ୍ରଦାନ କରି ନ ଥିଲେ। ଟିକସ ମାଗିବାକୁ କର୍ମଚାରୀ ଗଲେ, ସେମାନଙ୍କୁ ନାଲି ଆଖି ଦେଖାଉଥିଲେ। ତେଣୁ ଟିକସ ଫାଙ୍କିବା ଅଭିଯୋଗରେ ୩ଟି ଦୋକାନକୁ ସିଲ୍‌ କରାଯାଇଥିବା ଟ୍ୟାକ୍ସ ଦାରୋଗା କହିଛନ୍ତି। ତେବେ ଏହି ଚଢ଼ାଉ ବେଳେ କାର୍ଯ୍ୟାନୁଷ୍ଠାନ ଭୟରେ ଅନ୍ୟ ଜଣେ ବ୍ୟବସାୟୀ ଦୋକାନ ଛାଡ଼ି ଦୌଡ଼ି ପଳାଇ ଯାଇଥିବା ଦେଖିବାକୁ ମିଳିଥିଲା। ପୌରପାଳିକା ପକ୍ଷରୁ କରାଯାଇଥିବା ଏହି ଚଢ଼ାଉରେ ପୌର ନିର୍ବାହୀଯନ୍ତ୍ରୀ ରବିନ୍‌ ଦାସ, ପରିମଳ ଅଧିକାରୀ ସୂର୍ଯ୍ୟକାନ୍ତ ସ୍ବାଇଁ, ବିନୋଦ ଗୋଚ୍ଛାୟତ ପ୍ରମୁଖଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।