ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ଲଗାମ୍‌…

ନୂଆଦିଲ୍ଲୀ,୧୧।୭: ଦେଶରେ କରୋନା ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ଲଗାମ୍‌ ଲାଗିଛି। ଶନିବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୭୬୬ ଥିବାବେଳେ ମୃତ୍ୟୁ ସଂଖ୍ୟା ୧,୨୦୬ ଥିଲା। ତେବେ ରବିବାର ଏହା କମିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ହଜାର ୫୦୬ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୮୯୫ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୪୧ ହଜାର ୫୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ବଢ଼ିବାରେ ଲାଗିଛି। ଏହା ୯୭.୨୦ ପ୍ରତିଶତ ଛୁଇଁଛି। ସେହିପରି ଦୈନିକ ପଜିଟିଭ୍‌ ହାର ୧.୪୮ ପ୍ରତିଶତ ରହିଛି। ମୃତକଙ୍କ ହାର ୧.୩୨ ପ୍ରତିଶତ ରହିଛି। ଅପରପକ୍ଷରେ ୪ ଲକ୍ଷ ୫୪ ହଜାର ୧୧୮ ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୮ ହଜାର ୪୦ ଛୁଇଁଛି। ବର୍ତ୍ତମାନ ସୁଦ୍ଧା ୩୭ କୋଟି ୬୦ ଲକ୍ଷ ୩୨ ହଜାର ୫୮୬ ଜଣ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ଇତିମଧ୍ୟରେ ୪୩ କୋଟି ୮ ଲକ୍ଷରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୨ କୋଟି ୯୯ ଲକ୍ଷ ୭୫ ହଜାର ୬୪ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି।

Share