୪୦ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୫।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ଲଗାମ୍‌ ଲାଗିଛି। ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ହଜାର ୭୯୬ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୭୨୩ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୪୨ ହଜାର ୩୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ବଢ଼ିବାରେ ଲାଗିଛି। ଅପରପକ୍ଷରେ ୪ ଲକ୍ଷ ୮୨ ହଜାର ୭୧ ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୨ ହଜାର ୭୨୮ ଛୁଇଁଛି। ବର୍ତ୍ତମାନ ସୁଦ୍ଧା ୩୫ କୋଟି ୨୮ ଲକ୍ଷ ୯୨ ହଜାର ୪୬ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ଇତିମଧ୍ୟରେ ୪୧ କୋଟି ୯୭ ଲକ୍ଷ ୭୭ ହଜାର ୪୫୭ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।