ଦୈନିକ ସଂକ୍ରମଣ ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୨୭।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୯୨୭ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୨ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା କମିଛି। ଏହି ସମୟରେ ସକ୍ରିୟ ମାମଲା ୧୬ ହଜାର ଟପିଛି। ଏହା ୧୬ ହଜାର ୨୭୯ ରହିଛି।

ସେହିପରି ୨୪ ଘଣ୍ଟାରେ ୨ ହଜାର ୨୫୨ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୩ ହଜାର ୬୫୪ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୦ ଲକ୍ଷ ୬୫ ହଜାର ୪୯୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୫ ଲକ୍ଷ ୨୫ ହଜାର ୫୬୩ ଜଣ ସୁସ୍ଥ ହୋଇ ସାରିଛନ୍ତି।

ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ସର୍ବାଧିକ ୧,୨୦୪ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ହରିୟାଣାରେ ୫୧୭ ଜଣ, କେରଳରେ ୨୫୫ ଜଣ, ଉତ୍ତରପ୍ରଦେଶରେ ୨୦୧ ଜଣ, ମିଜୋରାମ୍‌ରେ ୧୬୪ ଜଣ ଏବଂ ମହାରାଷ୍ଟ୍ରରେ ୧୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୮୮ କୋଟି ୨୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୪୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୦ କୋଟି ୯୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

Share