ଦୈନିକ ସଂକ୍ରମଣ ଦେଶରେ ୩୦ ହଜାର ତଳେ…

ନୂଆଦିଲ୍ଲୀ,୧୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। କେରଳ ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୪୮୭ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧୮୧ ରହିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୩୩୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୫୯୧ ରେ ପହଞ୍ଚିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଏହି ସମୟ ମଧ୍ୟରେ ୩୪ ହଜାର ୮୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୪୮ ପ୍ରତିଶତ ରହିଛି। ଅପରପକ୍ଷରେ ୩ ଲକ୍ଷ ୮୪ ହଜାର ୯୨୧ ଜଣ ଚିକିତ୍ସିତ ହେଉଛନ୍ତି। ସାପ୍ତାହିକ ପଜିଟିଭ୍‌ ହାର ୨.୫୭ ପ୍ରତିଶତ ରହିଛି। ସକ୍ରିୟ ମାମଲା ୧.୧୮ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୪୨ ହଜାର ୬୫୫ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୭୩ କୋଟି ୮୨ ଲକ୍ଷ ୭ ହଜାର ୩୭୮ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୭୨ ଲକ୍ଷ ୮୬ ହଜାର ୮୮୩ ଜଣଙ୍କୁ ଟିକା ଦିଆଯାଇଛି।

ଅପରପକ୍ଷରେ ଇତିମଧ୍ୟରେ ୫୪ କୋଟିରୁ ଅଧିକ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୭ ଲକ୍ଷରୁ ଅଧିକ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୨୪ ଲକ୍ଷ ୯ ହଜାର ୩୪୫ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୩୨ ଲକ୍ଷ ୩୬ ହଜାର ୯୨୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Share